ଚଣ୍ଡିଗଡ:ଗତବର୍ଷ ଜାନୁଆରୀରେ ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଦେଖାଯାଇଥିବା ବିଭ୍ରାଟ ମାମଲାରେ ତତ୍କାଳୀନ ଫିରୋଜପୁର ଏସପିଙ୍କୁ ନିଲମ୍ବିତ କରାଯାଇଛି । ଏବେ ଭଟିଣ୍ଡା ଏସପି ଭାବେ କାର୍ଯ୍ୟରତ ଥିବା ଗୁରୁବିନ୍ଦର ସିଂ ସଙ୍ଗ ସେତେବେଳେ ଫିରୋଜପୁରରେ ଏସପି ଦାୟିତ୍ବରେ ଥିଲେ । ଜିଲ୍ଲା ପୋଲିସ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସେ ଉଚିତ୍ ଦାୟିତ୍ବ ସମ୍ପନ୍ନତା ଦେଖାଇନଥିବା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ତଦନ୍ତରେ ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଞ୍ଜାବ ପୋଲିସ ଡିଜିପି ସୂଚନା ଦେଇଛନ୍ତି ।
ଗତବର୍ଷ ଜାନୁଆରୀ 5 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତରେ ସୁରକ୍ଷାର ବିଭ୍ରାଟ ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ କାର୍କେଡ ଏକ ଫ୍ଲାଇ ଓଭରରେ ପ୍ରାୟ 20 ମିନିଟ ଫସି ରହିବା ପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯାଇଥିଲେ । ପଞ୍ଜାବର ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଅବତରଣ କରିବା ପରେ ସେଠାରୁ ବାୟୁସେନା ବିମାନରେ ସେ ଫିରୋଜପୁରର ଏକ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିବାକୁ ଥିଲା । ମାତ୍ର ପ୍ରତିକୂଳ ପାଗ କାରଣରୁ ହେଲିକପ୍ଟର ଉଡାଣ ସମ୍ଭବ ହୋଇନଥିଲା ।
ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ କାର୍ଯ୍ୟକ୍ରମ ସ୍ଥଳକୁ ଯାତ୍ରା କରିଥିଲେ । ମାତ୍ର ସେହି ରାସ୍ତାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା କାରଣରୁ ପ୍ରଧାନମନ୍ତ୍ରୀ ଏକ ଫ୍ଲାଇଓଭରରେ ପ୍ରାୟ 20 ମିନିଟ ଫସି ରହିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ସେ କାର୍ଯ୍ୟକ୍ରମ ବାତିଲ କରି ଫେରି ଯାଇଥିଲେ । ଭଟିଣ୍ଡା ବିମାନ ବନ୍ଦରରେ ଜଣେ ଅଧିକାରୀଙ୍କୁ, ସେ ଜୀବିତ ଫେରି ଆସିଥିବା କାରଣରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଧନ୍ୟବାଦ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ସେତେବେଳେ ବେଶ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ।