ହାଇଦ୍ରାବାଦ: ଗୋଟିଏ ଲଡ଼ୁର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ହାଇଦ୍ରାବାଦରେ ଅଗ୍ରପୂଜ୍ୟ ଗଣେଶଙ୍କ ଗୋଟିଏ ଲଡୁ ୧ କୋଟିରୁ ଅଧିକ ଟଙ୍କାରେ ନିଲାମ ହୋଇଛି । ଚଳିତ ବର୍ଷ ସହରର ବଣ୍ଡଲାଗୁଡ଼ାରେ ଲଡୁ ନିଲାମ ନୂଆ ରେକର୍ଡ କରିଛି । ଜଣେ ବ୍ୟକ୍ତି ବଣ୍ଡଲାଗୁଡା ଅନ୍ତର୍ଗତ କୀର୍ତ୍ତି ରିଚମଣ୍ଡ ଭିଲ୍ଲାର ଗଣେଶ ଲଡ଼ୁ ୧.୨୦ କୋଟିରେ କ୍ରୟ କରିଛି । ଗତବର୍ଷ ଏଠାରେ ୬୦ ଲକ୍ଷ ୮୦ ହଜାର ଟଙ୍କାରେ ଲଡୁ ନିଲାମ ହୋଇଥିଲା । ମାତ୍ର ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି କୀର୍ତ୍ତି ରିଚମଣ୍ଡ ଭିଲ୍ଲା ଲଡୁ ।
ଗଣେଶ ଉତ୍ସବର ଶେଷ ଦିନରେ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଗଣେଶ ଲଡୁ ନିଲାମ ହୋଇଥାଏ । ଚଳିତ ଥର ଅନେକ ସ୍ଥାନରେ ରେକର୍ଡ ମୂଲ୍ୟରେ ଲଡୁ ନିଲାମ ହୋଇଛି । ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି ବଣ୍ଡଲାଗୁଡ଼ା ଅନ୍ତର୍ଗତ କୀର୍ତ୍ତି ରିଚମଣ୍ଡ ଭିଲ୍ଲାର ଗଣେଶଙ୍କ ଲଡ଼ୁ । ଏହାର ଆୟୋଜକ କହିଛନ୍ତି ଯେ, ଏହି ନିଲାମୀରେ ମିଳୁଥିବା ସବୁ ଟଙ୍କା ସମାଜସେବାରେ ଖର୍ଚ୍ଚ କରାଯିବ । ବିଗତ ୧୦ ବର୍ଷ ହେଲା ଆମେ ମହାଆଡମ୍ବରରେ ଗଣେଶ ଉତ୍ସବ ପାଳନ କରିଆସୁଛୁ । ପ୍ରତିବର୍ଷ ଲଡୁ ନିଲାମ କରାଯାଇଥାଏ । ଏଥିରୁ ଯାହା ଆୟ ହୁଏ ତାହାକୁ ଦାନ କରିଥାଉ ।