ଚଣ୍ଡିଗଡ:ଖଲିସ୍ତାନୀ ଗୋଷ୍ଠୀ ନେତା ଅମ୍ରିତପାଲଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବ୍ୟାପକ ଅପରେସନ ସତ୍ତ୍ବେ ଅମ୍ରିତପାଲ ସିଂ ଏବେ ମଧ୍ୟ ଫେରାର ରହିଛି । ଗତକାଲିଠାରୁ ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା ବେଳେ ଏବେ ଏହି କଟକଣା ଅବଧିକୁ ବଢାଯାଇଛି । ପ୍ରାଥମିକ ଭାବେ ଆଜି(ରବିବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ଥିବା ବେଳେ ଏହାକୁ ଆଜି ଆଉ ଦୁଇ ଦିନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେବଳ ଇଣ୍ଟରନେଟ ସେବା ନୁହେଁ ବରଂ ମୋବାଇଲ ଏସଏମଏସ ସେବା ମଧ୍ୟ ବନ୍ଦ ରଖାଯାଇଛି । ପୋଲିସର କାର୍ଯ୍ଯାନୁଷ୍ଠାନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବା ନେଇ ଅନୁମାନ କରାଯାଉଛି ।
ଗତକାଲିଠାରୁ ପୋଲିସ ଅମ୍ରିତପାଲ ସିଂକୁ ଧରିବା ପାଇଁ ଅପରେସନ ଜାରି ରଖିଛି । ପଞ୍ଜାବର ବିଭିନ୍ନ ସ୍ଥାନରୁ ତାର ପ୍ରାୟ 70ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇ ସାରିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତ ଅମ୍ରିତପାଲକୁ ଗିରଫ କରାଯାଇପାରିନି । ଅମ୍ରିତପାଲ ଜଳନ୍ଧର କିମ୍ବା ଅମୃତସରରେ ଲୁଚିଥିବା ସନ୍ଦେହ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ କ୍ରମାଗତ ଚଢାଉ କରାଯାଉଛି । ହେଲେ ଏଯାବତ୍ ତାର କୌଣସି ପତ୍ତା ମିଳିନଥିବାରୁ ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷଣା କରିଛି ।