ବେଙ୍ଗାଲୁରୁ:କର୍ଣ୍ଣାଟକରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ହତ୍ୟା ମାମଲାରେ ବଢୁଛି ଗିରଫଦାରୀ । ଆଜିକୁ ମିଶାଇ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ । ତେବେ ଆଗକୁ ମଧ୍ୟ ଆଉ କିଛି ଫେରାର ଅଭିଯୁକ୍ତ ମଧ୍ୟ ଗିରଫ ହୋଇପାରନ୍ତି ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣା ଘଟିଥିବା ଶିବମୋଗା ଜିଲ୍ଲାରେ ଉତ୍ତେଜନା ହ୍ରାସ ହେଉନଥିବାରୁ ଜାରି ହୋଇଥିବା କର୍ଫ୍ୟୁ ଅବଧିକୁ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛି ସ୍ଥାନୀୟ ପୋଲିସ ପ୍ରଶାସନ ।
ଶିବାମୋଗା ସହରରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ୨୩ ବର୍ଷୀୟ ହର୍ଷ ହତ୍ୟାର ଶିକାର ହେବା ପରେ ରାଜ୍ୟବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପକ୍ଷରୁ ତୁରନ୍ତ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତ ପୋଲିସ କବ୍ଜାକୁ ଆସିସାରିଥିବାବେଳେ ଅନ୍ୟ କିଛି ଏବେ ମଧ୍ୟ ଫେରାର ଥିବା ସୂଚନା ମିଳିଛି ।
ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ କାଶିଫ, ସୟଦ ନାଡିମ, ଅସୀଫୁଲା ଖାନ, ରିୟାନ ଶରିଫ, ନିହାନ ଏବଂ ଆଫାନ ବୋଲି ପୋଲିସ କହିଛି । ପ୍ରାଥମିକ ତଦନ୍ତରୁ ପ୍ରାପ୍ତ ସୂଚନା ଅନୁସାରେ, ସମୁଦାୟ 12 ଜଣଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କୁ ପଚରାଉଚରା ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବିବୃତ୍ତି ଆଧାରରେ ୬ ଜଣଙ୍କୁ ଗିରଫ କରାଯାଇଛି ।
ପୋଲିସର ସୂଚନାନୁସାରେ, ଘଟଣାଟି ଗତ 20 ତାରିଖରେ ଶିବମୋଗା ଜିଲ୍ଲାର କାମାଟ ଅଞ୍ଚଳରେ ଘଟିଥିଲା । ଅଭିଯୁକ୍ତମାନେ ଏକ କାରରେ ଆସି ହର୍ଷଙ୍କୁ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ହିନ୍ଦୁ ଓ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଶିବମୋଗା ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଆଜି ଏହାର ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ