ବେଙ୍ଗାଲୁରୁ:କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଘଟଣାରେ ପ୍ରଥମେ ୨ ଜଣ ଓ ପରେ ଅନ୍ୟ ଜଣେ ଅଭିଯୁକ୍ତକୁ ମିଶାଇ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସତ୍ତ୍ବେ ମଧ୍ୟ ଉତ୍ତେଜନା ନିୟନ୍ତ୍ରଣକୁ ନଆସିବାରୁ ଶିବମୋଗା ଜିଲ୍ଲାରେ ବୁଧବାର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛି ସ୍ଥାନୀୟ ପ୍ରଶାସନ ।
ଆଜି (ସୋମବାର) ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ଶିବମୋଗାରେ କର୍ଫ୍ୟୁ ଲାଗୁ କରାଯାଇଛି । ବୁଧବାର ସକାଳ 6ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବା ନେଇ ଶିବମୋଗଗା ଏସ.ପି ଲକ୍ଷ୍ମୀପ୍ରସାଦ ସୂଚନା ଦେଇଛନ୍ତି । ଆସନ୍ତାକାଲି ସହର ସୀମା ମଧ୍ୟରେ ଥିବା ସ୍କୁଲ, କଲେଜ ଏବଂ ଦୋକାନବଜାର ସହ ସମସ୍ତ ସାଧାରଣ କାର୍ଯ୍ୟକଳାପ ବନ୍ଦ ରହିବ । ତେବେ କୌଣସି ଅପ୍ରୀତିକର ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ଶିବାମୋଗାକୁ ଅଣାଯାଉଥିବା ଏସ.ପି କହିଛନ୍ତି ।