ଲକ୍ଷ୍ନୌ:ହେଟ୍ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିଧାୟକ ପଦ ହରାଇଥିଲେ ସମାଜବାଦୀ ପାର୍ଟି ନେତା ଆଜମ ଖାନ । ସେହି ମାମଲାରେ ଆଜି ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଗତବର୍ଷ (2022) ଅକ୍ଟୋବର 27 ତାରିଖରେ ଆଜମ ଖାନ ଦୋଷୀ ସାବ୍ୟସ୍ତ ହେବା ସହ 3ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ସେ ବିଧାୟକ ପଦରୁ ମଧ୍ୟ ବରଖାସ୍ତ ହୋଇଥିଲେ । ଆଜି ସେହି ମାମଲାରେ ରାମପୁର ଏମପି ଏମଲଏ କୋର୍ଟରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ସୂଚନା ଅନୁସାରେ, 2019 ସାଧାରଣ ନିର୍ବାଚନ ସମୟରେ ଉତ୍ତର ପ୍ରଦେଶ ମିଲକ ବିଧାନସଭା ମଣ୍ଡଳୀରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଆଜନ ଖାନ ଘୃଣା ସୃଷ୍ଟି କରିବା ପରି ଉତ୍ତେଜିତ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେ 2022ରେ ରାମପୁର ଏମପି ଏମଏଲଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାୟକ ପଦ ହରାଇଥିଲେ । ପରେ ତାଙ୍କ ପାରମ୍ପରିକ ବିଧାନସଭା ଆସନରେ ରାମପୁରରେ ଉପନିର୍ବାଚନ ମଧ୍ୟ ହୋଇଥିଲା । ଆଜମ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଦଣ୍ଡାଦେଶକୁ ଉକ୍ତ କୋର୍ଟରେ ପୁଣି ଥରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାର ଶୁଣାଣିରେ ତାଙ୍କୁ ଦୋଷମୁକ୍ତ କରାଯାଇଛି ।