ରାମୋତ୍ସବ ୨୦୨୩: କାଲି ଅଯୋଧ୍ୟା ଯିବେ ମୋଦି, ସଜେଇ ହେଲାଣି ରାମନଗରୀ ଅଯୋଧ୍ୟା: ମହ ମହ ବାସିଲାଣି ରାମ ନଗରୀ ଅଯୋଧ୍ୟା । ସତେଜ ଗେଣ୍ଡୁଫୁଲର ସାଜସଜ୍ଜା ମାହୋଲକୁ ଆହୁରି ରଙ୍ଗୀନ କରୁଛି । ଚାରିଆଡେ ଉତ୍ସବର ମାହୋଲ । ରାମ ଜନ୍ମଭୂମିକୁ ନବବଧୂ ଭଳି ସଜେଇବା ଲାଗି ସମସ୍ତେ ତତ୍ପର । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଆଉ କେଇଟା ଦିନ ବାକି ଥିବା ବେଳେ ଆସନ୍ତାକାଲି (ଶନିବାର) ଅଯୋଧ୍ୟା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆକ୍ସନ ମୋଡରେ ରାଜ୍ୟ ସଂସ୍କୃତି ବିଭାଗ ।
ମୋଦିଙ୍କ ସ୍ବାଗତ ପାଇଁ ବିଶେଷ ବ୍ୟବସ୍ଥା:- ଅଯୋଧ୍ୟା ବିମାନ ବନ୍ଦରଠାରୁ ଧର୍ମ ପଥ ଓ ରାମ ପଥଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ଲାଗି ପ୍ରାୟ ୧୪୦୦ ସ୍ଥାନୀୟ କଳାକାର ନୃତ୍ୟ ପରିବେଷଣ କରିବେ । ଏଥିଲାଗି ୪୦ଟି ଷ୍ଟେଜ ନିର୍ମାଣ କରାଯାଇଛି । ସେହିପରି ଏୟାରପୋର୍ଟରେ ବୈଠକ ହେବାକୁ ଥିବା ସ୍ଥାନରେ ପ୍ରାୟ ୩୦ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିବା ବେଳେ ସଂସ୍କୃତି ବିଭାଗକୁ ସମସ୍ତ ଦାୟିତ୍ବ ଦେଇଛନ୍ତି ।
ଏହା ବି ପଢନ୍ତୁ- ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଭବ୍ୟ ନଗରୀ ପାଇଁ ୧୫ ହଜାର କୋଟିର ପ୍ୟାକେଜ
ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବା ଲାଗି କରାଯାଉଥିବା ସମସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବାର୍ତ୍ତାରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ' ସମୟରେ ଏହି ୧୪୦୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । ବିମାନବନ୍ଦରର ଗେଟ ନଂ-୩ରେ ଏକ ବଡ଼ ଷ୍ଟେଜ ନିର୍ମାଣ କରାଯାଇଛି । ଏହାବାଦ ଏୟାରପୋର୍ଟର ଅନ୍ୟ ସ୍ଥାନ ଏବଂ ସାକେତ ପେଟ୍ରୋଲ ପମ୍ପ ନିକଟରେ ମୋଟ ୫ଟି ଷ୍ଟେଜ ନିର୍ମାଣ କରାଯାଉଛି । ଧର୍ମ ପଥ ପର୍ଯ୍ୟନ୍ତ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
ପରିବେଷଣ ହେବ ମଥୁରାର ପ୍ରସିଦ୍ଧ 'ମୟୁର' ନୃତ୍ୟ:-ବିଭିନ୍ନ ଷ୍ଟେଜରେ ମଥୁରାର ପ୍ରସିଦ୍ଧ ମୟୁର ନୃତ୍ୟ ପରିବେଷଣ କରିବେ ନୃତ୍ୟଶିଳ୍ପୀ । ସେହିପରି ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ କଳାକାର ଦୀପକ ଶର୍ମା, ଗୋବିନ୍ଦ ତିୱାରି, ମାଧବ ଆଚାର୍ଯ୍ୟ ମଧ୍ୟ ନିଜ ପ୍ରତିଭାର ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିବେ । ସେହିପରି ଲକ୍ଷ୍ନୌର କଳାକାର ରାଗିଣୀ ଶ୍ରୀବାସ୍ତବ ଓ ସୁଲତାନପୁରର ବ୍ରଜେଶ ପାଣ୍ଡେ ନିଆରା 'ଅବଧି' ଲୋକକଳା ନୃତ୍ୟ ପରିବେଷଣ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ