ହାଇଦ୍ରାବାଦ:ଜଳ, ସ୍ଥଳ ଏବଂ ବାୟୁମଣ୍ଡଳ ପ୍ରଦୂଷଣ କରୁଛି ଘାତକ ପ୍ଲାଷ୍ଟିକ। ଏହି ପ୍ଲାଷ୍ଟିକ ନଦୀ, ମୃତ୍ତିକା ଏବଂ ସମୁଦ୍ରରେ ମିଶି ପରୋକ୍ଷ ଭାବରେ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛି। ଫଳେ ଧୀରେଧୀରେ ଆମକୁ ମୃତ୍ୟୁ ମୁଖକୁ ଟାଣି ନେଉଛି ଏହି ବର୍ଜ୍ୟବସ୍ତୁ। ପ୍ଲାଷ୍ଟିକୁ ଏଣେ ତେଣେ ଫିଙ୍ଗିବା ଦ୍ବାରା ମାଟିର ଉର୍ବରତା ହ୍ରାସ ପାଉଛି। ଯେଉଁଥିପାଇଁ ଫସଲ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ସହ ଉତ୍ପାଦିତ ଖାଦ୍ୟକୁ ଏହା ବିଷାକ୍ତ କରୁଛି। ସମଗ୍ର ପୃଥିବୀରେ ପ୍ରତିବର୍ଷ ପ୍ରାୟ ୧.୪ କୋଟି ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ପହଞ୍ଚୁଥିବା ଏକ ରିପୋର୍ଟରୁ ଜଣାପଡିଛି। ଯାହାର ଗମ୍ଭୀର ପ୍ରଭାବ ସାମୁଦ୍ରିକ ଜୀବମାନଙ୍କ ଉପରେ ପଡୁଛି। ଏହାଦ୍ବାରା କେବଳ ଜଳ, ସ୍ଥଳ ଓ ବାୟୁମଣ୍ଡଳ ସମେତ ସମଗ୍ର ଜୀବ ଜଗତ ପ୍ରଭାବିତ ହେଉଛି।
ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ (NIN) ଦ୍ବାରା କରାଯାଇଥିବା ଗବେଷଣାରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ପ୍ଲାଷ୍ଟିକ ମଣିଷ ଶରୀର ଭିତରକୁ ପ୍ରବେଶ କରିବା ପରେ ଗର୍ଭଧାରଣରେ ଜଟିଳ ସମସ୍ୟା ଭୋଗିବାକୁ ପଡିପାରେ। ଏପରିକି ଏହା ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ ପ୍ରତି ବଡ଼ ଧରଣର କ୍ଷତି ପହଞ୍ଚାଇଥାଏ। କେନ୍ଦ୍ରମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦେଶରେ ଥିବା ପ୍ରତ୍ୟେକ ଗାଈ ଓ ମଇଁଷିମାନଙ୍କ ପାକସ୍ଥଳୀରେ ପ୍ରାୟ 30କିଲୋଗ୍ରାମର ପ୍ଲାଷ୍ଟିକ ଜମା ହେଉଛି। ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଥିବା ପ୍ଲାଷ୍ଟିକର କଣିକା ଗୁଡିକ ହେଲା ମାଇକ୍ରୋ ପ୍ଲାଷ୍ଟିକ ଏବଂ ନାନୋ ପ୍ଲାଷ୍ଟିକ। ଏଗୁଡ଼ିକ ନଦୀ ବା ସମୁଦ୍ର ମଧ୍ୟକୁ ଯିବା ଦ୍ବାରା ସାମୁଦ୍ରିକ ଜୀବମାନଙ୍କୁ କ୍ଷତି ପହଞ୍ଚାଉଛି।
ଏପରିକି ପ୍ରଦୂଷଣ କାରଣ ବହୁ ସାମୁଦ୍ରିକ ଜୀବନଙ୍କଠାରୁ ଆରମ୍ଭ କରି ପଶୁ ପକ୍ଷୀଙ୍କ ବଂଶ ଲୋପ ପାଇବାରେ ଲାଗିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କର ପାକସ୍ଥଳୀ, ଯକୃତ, କିଡନୀ ଆଦି ଆଭ୍ୟନ୍ତରୀଣ ଅଙ୍ଗରେ ଗୁରୁତର ସମସ୍ୟା ଦେଖା ଦେଉଛି। ଏହି ପ୍ଲାଷ୍ଟିକ ଭୂତଳ ଜଳରେ ମିଶିଯାଉଥିବା କାରଣରୁ ପାନୀୟଜଳରେ ପ୍ଲାଷ୍ଟିକର କଣିକା ଦ୍ରବୀଭୂତ ଅବସ୍ଥାରେ ରହୁଛି। ଯାହାକୁ ପିଇବା ଦ୍ବାରା ଶରୀର କୋଶ ସମେତ ରକ୍ତରେ ମିଶୁଛି ପ୍ଲାଷ୍ଟିକ । ଯାହାକି ପରବର୍ତ୍ତୀ ସମୟରେ କ୍ଯାନସର ଭଳି ଦୂରାରୋଗର କାରଣ ହେଉଛି।