ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ମାରିସ୍ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ୨+୨ ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଭାରତ ଗସ୍ତରେ ଅଛନ୍ତି ଦୁଇ ଅଷ୍ଟ୍ରେଲିୟ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନିବାସରେ ଉଭୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିବା ଜଣାପଡିଛି ।
ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏହି ଦ୍ବିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନାର ଆଜି ହେଉଛି ଉଦ୍ଘାଟନୀ ଦିବସ । ଆଜିର ଆଲୋଚନାରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସ୍ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନଙ୍କ ସହ ନୂଆଦିଲ୍ଲୀରେ ଏହି ମନ୍ତ୍ରୀ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ।