ଶ୍ରୀନଗର:ସୀମାରେ ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସେନା କ୍ୟାମ୍ପ ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ରଜୌରୀ ଦାରହାଲ ଅଞ୍ଚଳର 25 କିଲୋମିଟର ଦୂର ପାରଗାଲରେ କେହିଜଣେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ କରିଛି । ଏଥିରେ 3 ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି । ସୁରକ୍ଷା ଯବାନଙ୍କ ପାଲଟା ଜବାବରେ 2 ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି । ଶହୀଦ 3 ଯବାନ ହେଲେ ସୁବେଦାର ରାଜେନ୍ଦ୍ର ପ୍ରସାଦ, ରାଇଫଲମ୍ୟାନ ମନୋଜ କୁମାର ଏବଂ ରାଇଫଲମ୍ୟାନ ଲକ୍ଷ୍ମଣନାନ ଡି । ବର୍ତ୍ତମାନ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ ଏଡିଜିପି ମୁକେଶ ସିଂହ ।
ପ୍ରକାଶ ଥାଉ କି, ଗତକାଲି (ବୁଧବାର) ବୁଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଥିଲା । ସୁରକ୍ଷା ବାହିନୀର ଗୁଳିରେ ଆତ୍ମଗୋପନ କରିଥିବା ସମସ୍ତ 3 ଆତଙ୍କୀ ନିପାତ ହୋଇଥିଲେ । ବୁଡଗାମ ନିକଟବର୍ତ୍ତୀ ଆଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସର ଟିମ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଓ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ 3 ଆତଙ୍କୀକୁ ସଫା କରିବାରେ ସଫଳ ହୋଇଥିଲା ସୁରକ୍ଷାବଳ । ନିହତ ଆତଙ୍କୀ ମଧ୍ୟରୁ ଲଥିପ ଲାଥର ନାମକ ଆତଙ୍କୀ ଏହି ହତ୍ୟାକାଣ୍ଡରେ ସାମିଲ ଥିଲା ।