ନୂଆଦିଲ୍ଲୀ/ପାଟନା: ସଂସଦ ଆକ୍ରମଣର 22ତମ ବାର୍ଷିକୀ ଦିନ ସଂସଦରେ ହୋଇଥିବା ସୁରକ୍ଷା ବିଭ୍ରାଟ ଓ ଧୂମ୍ରକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଳିତ ଝାର ବିହାର ଦରଭଙ୍ଗା ସ୍ଥିତ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ ଓ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏମସ)ର ଟିମ । ଏହି ମିଳିତ ଟିମ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ଠାରୁ ଲଳିତର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଘରେ ଛାନଭିନ ମଧ୍ୟ କରିଛନ୍ତି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏଟିଏସ ଟିମ୍ ଦରଭଙ୍ଗାର ରାମପୁର ଉଦୟ ଗ୍ରାମରେ ପହଞ୍ଚିଥିଲା । ଆଜି (ମଙ୍ଗଳବାର) ସକାଳେ ଦିଲ୍ଲୀ ପୋଲିସ ପଚରାଉଚରା ପାଇଁ ପହଞ୍ଚିଛି । ପରିବାର ସଦସ୍ୟ ଓ ପଡୋଶୀଙ୍କ ଠାରୁ କିଛି ସୂଚନା ସଂଗ୍ରହ କରିଛି ତଦନ୍ତକାରୀ ଟିମ । ଲଳିତର ଭାଇ ହରିଦର୍ଶନ ଝା ଓରଫ ସୋମୁ ଓ ଶମ୍ଭୁ ଝାଙ୍କ ସମେତ ତାର ବାପା ଦେବାନନ୍ଦ ଝାଙ୍କୁ ମଧ୍ୟ ଲଳିତର କାର୍ଯ୍ୟକଳାପ ସମ୍ପର୍କରେ ଜେରା କରାଯାଇଛି ।
ଲଳିତକୁ ପୋଲିସ ଦିଲ୍ଲୀରୁ ଗିରଫ କରିଥିଲା । ଘଟଣା ଘଟିବାର 24 ଘଣ୍ଟା ପରେ ଲଳିତ ଗିରଫ ହୋଇଥିଲା । ତାକୁ ଗିରଫ କରିବା ପାଇଁ ବିଭିନ୍ନ ରାଜ୍ୟରେ ପୋଲିସକୁ ଚଢାଉ କରିବାକୁ ପଡିଥିଲା । ମାତ୍ର ସେ 5 ଅଭିଯୁକ୍ତ ଗିରଫ ହେବା ପରେ ଶେଷରେ ରାଜଧାନୀରୁ ହିଁ ଗିରଫ ହୋଇଥିଲା । ଏବେ ସେ ପୋଲିସ ରିମାଣ୍ଡରେ ରହିଛି । ସେହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଗତ କିଛି ମାସ ହେବ ସେ ହିଁ ସମସ୍ତ ଯୋଜନା କରିଥିଲା । ସେ ଅନ୍ୟ ସମସ୍ତଙ୍କ ମୋବାଇଲ ଫୋନ ନିଜ ପାଖରେ ରଖିଥିବା ବେଳେ ଘଟଣା ଘଟିବା ବେଳେ ସଂସଦ ବାହାରେ ନିଜେ ଉପସ୍ଥିତ ଥିଲା । ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରି ଏକାଧିକ ବ୍ୟକ୍ତିଙ୍କୁ ପଠାଇ ଭାଇରାଲ ମଧ୍ୟ କରିଥିଲା । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା ।