ଲକ୍ଷ୍ନୌ:ମାଫିଆରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଗତକାଲି(ଶନିବାର) ରାତିରେ ଦୁର୍ବୃତ୍ତମାନେ ସାମ୍ବାଦିକ ବେଶରେ ଆସି ପୋଲିସ ସାମ୍ନାରେ ଦୁହିଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି କରିବା ସହ ସମସ୍ତ ୭୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାକୁ ଅତି ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ୩ ବିଚାରପତି ଏହାର ତଦନ୍ତ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୟ ପ୍ରସାଦଙ୍କ ସହ ପୋଲିସ ଡିଜି ଆରକେ ବିଶ୍ବକର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହି ଘଟଣା ସହ ଜଡିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିବା ସହ ଗୁଜବ ପ୍ରଚାରକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଅତିକ ଓ ତାର ଭାଇକୁ ଗୁଳି କରିଥିବା ୩ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ସେମାନେ ସାମ୍ବାଦିକ ବେଶରେ ଆସି ୩୬ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ । ଏହି ଘଟଣାରେ ୧୭ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ।