ପାଟନା:ପ୍ଲାଟଫର୍ମରେ ପ୍ରାୟ ଦେଢଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ରହିଲା ଯାତ୍ରୀବାହୀ ଟ୍ରେନ । ତେବେ ଏହା କୌଣସି ଦୁର୍ଘଟଣା କି ବୈଷୟିକ ତ୍ରୁଟି କାରଣରୁ ନୁହେଁ ବରଂ ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ବର୍ଯ୍ୟ ହୋଇଯିବେ । ଟ୍ରେନର ସହକାରୀ ଲୋକପାଇଲଟ ଇଞ୍ଜିନ ଛାଡି ମଦ୍ୟପାନ କରି ଗିରଫ ହେବା ପରେ ଏପରି ଅପ୍ରତ୍ୟାଶିତ ସ୍ଥିତି ସୃଷ୍ଟି ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ହାସନପୁର ରେଳ ଷ୍ଟେସନରେ ।
ସୂଚନା ଅନୁସାରେ ସମସ୍ତିପୁର-ସାହାରା ଏକ୍ସପ୍ରେସ (05278) ଗତକାଲି (ସୋମବାର) ସନ୍ଧ୍ୟାରେ ନିଜ ନିର୍ଦ୍ଧାରିତ ସମୟରେ ବିହାରର ହାସନପୁର ରେଳ ଷ୍ଟେସନରେ ପହଞ୍ଚିଥିଲା । ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପରେ ଟ୍ରେନର ସହକାରୀ ଲୋକୋପାଇଲଟ କରମବୀର ଯାଦବ କିଛି ସମୟ ମଧ୍ୟରେ ଚା’ ପାନ କରି ଫେରିବେ ବୋଲି ନିଜ ସହକର୍ମୀଙ୍କ କହି ଷ୍ଟେସନ ବାହାରକୁ ଯାଇଥିଲେ । ଷ୍ଟେସନ ବାହାରେ ସେ ମଦ୍ୟପାନ କରିବା ସହ ଅନ୍ୟମାନଙ୍କ ସହ ଝଗଡା ମଧ୍ୟ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଥାନାକୁ ଉଠାଇ ନେବା ସହ ତଦନ୍ତରୁ ସେ ଜଣେ ଟ୍ରେନ ଲୋକୋପାଇଲଟ ବୋଲି ପୋଲିସ ଜାଣିବାକୁ ପାଇଲା ।