ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଜାରି ହୋଇଥିବା ପ୍ରଚାର କଟକଣା ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ନିର୍ବାଚନ ଆୟୋଗ । ଫେବୃଆରୀ ୧୧ ତାରିଖ ଯାଏ ବଳବତ୍ତର ରହିବ କ୍ୟାମ୍ପେନ କର୍ଫ୍ୟୁ । ଆଜି ପୂର୍ବାହ୍ନରେ ବସିଥିବା ସମୀକ୍ଷା ବୈଠକରେ ଦେଶର କୋଭିଡ ସଂକ୍ରମଣ ସ୍ଥିତି ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି । ତେବେ ପୂର୍ବରୁ ଜାରି ହୋଇଥିବା ସର୍ତ୍ତାବଳୀରେ କିଛି ସଂଶୋଧନ ଆଣିବା ସହ ଏହାକୁ ଆୟୋଗ ସାମାନ୍ୟ କୋହଳ ମଧ୍ୟ କରିଛନ୍ତି ।
ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ସମସ୍ତ ପ୍ରକାର ନିର୍ବାଚନୀ ସମାବେଶ, ରାଲି ତଥା ରୋଡ ଶୋ’ ଉପରେ ନିଷେଧାଦେଶ ଜାରି କରିଥିଲେ ଆୟୋଗ । ଆଜି ତାର ଅବଧି ଶେଷ ହେଉଥିବା ବେଳେ ପୂର୍ବାହ୍ନରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ବର୍ତ୍ତମାନର ସ୍ଥିତି ସମୀକ୍ଷା ପରେ ଏହି କଟକଣାକୁ ପୁଣି ଆସନ୍ତା ମାସ ୧୧ ତାରିଖ ଯାଏ ବୃଦ୍ଧି କରାଯାଇଛି ।