ନୂଆଦିଲ୍ଲୀ: ଆଜି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ମତଦାନ । ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଦେବ ଉତ୍ତର ପ୍ରଦେଶ । ଦୁଇ ରାଜ୍ୟରେ ସମସ୍ତ ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶର ଦ୍ବିତୀୟ ପର୍ଯ୍ୟାୟରେ ୫୫ ଆସନ ପାଇଁ ମତଦାନ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ, ସମାଜବାଦୀ ପାର୍ଟିର ବିବାଦୀୟ ନେତା ତଥା ଜେଲରେ ଥିବା ଆଜମ ଖାନ ଆଜି ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା ଦେବେ ।
ଗୋଆରେ ମୋଟ ୪୦ ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମୋଟ ୧୧ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୪୦ ବିଧାନସଭା ଆସନ ପାଇଁ ୩୦୧ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଗୋଟିଏ ପର୍ଯ୍ୟାୟ ମତଦାନରେ ଗୋଆରେ ନିର୍ବାଚନ ଶେଷ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସେହିପରି ଉତ୍ତରାଖଣ୍ଡରେ ୮୧ ଲକ୍ଷ ଭୋଟର ମତଦାନ କରିବା ଅପେକ୍ଷାରେ ଥିବା ବେଳେ ମୈଦାନରେ ରହିଛନ୍ତି ୧୫୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୬୨୩ ପ୍ରାର୍ଥୀ ରହିଛନ୍ତି ।
ମୋଟ ୭୦ ଆସନରେ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ହେଭିଓ୍ବେଟ ନେତା ମୈଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।