ରାୟପୁର:ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ । ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ଆଜି ମତଦାନ ହେଉଛି । ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ସକାଳୁ ଭୋଟ୍ ଗ୍ରହଣ ଜାରି ରହିଛି । ତେବେ ଏହି ଆସନଗୁଡିକ ମଧ୍ୟରୁ ଅନେକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ରାଜନାନ୍ଦଗାଓଁ ପରେ ବସ୍ତର ଡିଭିଜନରେ ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୬୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜି ଏଠାରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ନଭେମ୍ବର ୧୭ରେ ବାକି ୭୦ଟି ଆସନରେ ଭୋଟ ଗ୍ରହଣ ହେବ । ବର୍ତ୍ତମାନ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ଥିବାବେଳେ ବିଜେପି ପୁଣିଥରେ କ୍ଷମତା ଦଖଲ କରିବାକୁ କଳବଳ ଲଗାଇ ଦେଇଛି ।
ମତଦାନରୁ ପୂର୍ବରୁ ନକ୍ସଲ ହିଂସା: ତେବେ ଆଜି ନିର୍ବାଚନ ପୂର୍ବରୁ ଛତିଶଗଡର କଙ୍କେର ଅଞ୍ଚଳରେ ନକ୍ସଲ ହିଂସା ଘଟିଛି । କାଙ୍କେରରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଏବଂ ଦୁଇ ପୋଲିଂ ଅଧିକାରୀ ଆହତ ହୋଇଛନ୍ତି । ହିଂସାକୁ ଦୃଷ୍ଟିରେ ରଖି ବସ୍ତର ଜିଲ୍ଲାର କୋଣ ଅନୁକୋଣରେ ଭାରି ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯାଇଛି । କେତେକ ଅଞ୍ଚଳରେ ପୋଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚା ଯାଇଛି ।