ନୂଆଦିଲ୍ଲୀ:ଗତ ୩ ତାରିଖରେ ଓଡିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ୭ଟି ଯାକ ଆସନରେ ଭୋଟ ଗଣତି ହେବ । ଏହି ଉପନିର୍ବାଚନରେ ସମସ୍ତ ଆସନରେ ବିଜେପି ଓ ଆଞ୍ଚଳକି ଦଳ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ କିଏ କେଉଁଠି ବାଜିମାତ୍ କରିବ ହେବ ତାହା ଆଜି ଜଣାପଡିବ । ଓଡିଶାର ଧାମନଗର, ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନାଥରେ ଉପନିର୍ବାଚନ ହୋଇଥିଲା ।
ସୂଚନାଯୋଗ୍ୟ, ଏହି ୭ଟି ବିଧାନସଭା ଆସନରୁ ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ଆସନରେ କ୍ଷମତାରେ ଥିଲେ । ଜେଡିୟୁ, ଶିବସେନା ଓ ଆରଜେଡି ଗୋଟିଏ ଲେଖାଏଁ ଆସନରେ କ୍ଷମତାରେ ରହିଥିଲେ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ କାରଣରୁ ଧାମନଗର ଆସନରେ ଉପନିର୍ବାଚନ ହୋଇଥିଲା । ସେହିପରି ତେଲେଙ୍ଗାନା ମୁନୁଗୋଡେରେ କଂଗ୍ରେସ ବିଧାୟକ ଥିବା ରାଜାଗୋପାଳ ରେଡ୍ଡୀ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଏହି ଆସନ ଖାଲି ପଡିଥିଲା ।