ହାଇଦ୍ରାବାଦ:ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି । ସଭାରେ ଭାଷଣ ଦେଉଥିବା ସମୟରେ ଜଣେ ଆତତାୟୀର ଗୁଳିମାଡରେ ସେ ଟଳି ପଡିଛନ୍ତି । ଏହି ଘଟଣା ଆଜି ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ସର୍ବସାଧାରଣ ସ୍ଥାନରେ ବିଶିଷ୍ଟ ରାଜନେତାଙ୍କୁ ଏପରି ହତ୍ୟା କରାଯିବା ପ୍ରଥମ ଘଟଣା ନୁହେଁ । ଭାରତର ଇତିହାସ ପୃଷ୍ଠା ଲେଉଟାଇଲେ ଏପରି ଅନେକ ଲୋମଟାଙ୍କୁରା ହତ୍ୟାର ଦୃଷ୍ଟାନ୍ତ ମିଳିବ । ସିଞ୍ଜୋଙ୍କ ହତ୍ୟା ଭାରତ ଇତିହାସର ସେହି ରକ୍ତାକ୍ତ ପୃଷ୍ଠାକୁ ଓଲଟାଇଛି, ଯେଉଁଥିରେ ଦେଶର ବିଶିଷ୍ଟ ରାଜନେତାଙ୍କ ହତ୍ୟାର କାହାଣୀ ଲିପିବଦ୍ଧ ରହିଛି । ଆଜି ଯେଉଁଭଳି ଭାବେ ଆବେଙ୍କ ହତ୍ୟା କରାଯାଇଛି, ଠିକ୍ ସେହିପରି ଭାବେ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀ, ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମୃତ୍ୟୁର ଘାଟିରେ ଓହ୍ଲାଇଥିଲେ ଆତତାୟୀ ।
ମହାତ୍ମା ଗାନ୍ଧୀ:
ଭାରତ ସ୍ବାଧୀନତା ସଂଗ୍ରାମର ମୁଖ୍ୟନାୟକ ଥିଲେ ମହାତ୍ମା ଗାନ୍ଧୀ । ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀର ବିର୍ଲା ଭବନରେ ଗାନ୍ଧୀଜୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରାର୍ଥନା ସଭାରୁ ଉଠୁଥିବା ସମୟରେ ନାଥୁରାମ ଗଡସେ ଗାନ୍ଧୀଜୀଙ୍କ ଛାତିରେ ଗୁଳି ଭେଦ କରିଥିଲେ । ଗଡସେ ନିଜ ସେମି ଅଟୋମେଟିକ ପିସ୍ତଲରେ ଗୋଟିଏ ପରେ ଗୋଟିଏ ଏପରି ତିନୋଟି ଗୁଳି ମାରି ବାପୁଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଲେ । ପରେ ଗାନ୍ଧୀଜୀଙ୍କ ହତ୍ୟା ମାମଲାରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡିଥିଲା ।
ଇନ୍ଧିରା ଗାନ୍ଧୀ
ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଧିରା ଗାନ୍ଧୀ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ରୋଡରେ ଥିବା ଇନ୍ଦିରାଙ୍କ ସରକାରୀ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡିଥିଲେ ଆଇରନ ଲେଡି । ଅଙ୍ଗରକ୍ଷୀ ସତୱନ୍ତ ସିଂ ଏବଂ ବେଅନ୍ତ ସିଂହ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଖୁବୁଜା ଗୁଳିମାଡ କରିଥିଲେ । ସେତେବେଳେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ବ୍ଲୁ ଷ୍ଟାର ଏବଂ ଅମୃତସରର ସ୍ବର୍ଣ୍ଣ ମନ୍ଦିର ଭିତରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହା ହିଁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର କାରଣ ଥିଲା ।