ଓଡିଶା

odisha

ETV Bharat / bharat

ଆସାମରୁ ନିଖୋଜ ମହିଳା ପାକିସ୍ତାନ ଜେଲରେ ବନ୍ଦୀ

ଆସାମରୁ ନିଖୋଜ ହୋଇଥିଲେ ମହିଳା । ପାକିସ୍ତାନ ଜେଲରେ ବନ୍ଦୀ ଥିବା ନେଇ ଆସିଲା କଲ ସହ ଲିଗାଲ ନୋଟିସ୍‌ । ସରକାରୀ ସହଯୋଗ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ମହିଳାଙ୍କ ମା’ । ଅଧିକ ପଢନ୍ତୁ

By

Published : Jan 5, 2023, 8:27 PM IST

Updated : Jan 6, 2023, 7:57 AM IST

ପାକିସ୍ତାନ ଜେଲରେ ବନ୍ଦୀ ଆସମରୁ ନିଖୋଜ ମହିଳା
ପାକିସ୍ତାନ ଜେଲରେ ବନ୍ଦୀ ଆସମରୁ ନିଖୋଜ ମହିଳା

ହାଇଦ୍ରାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଅବସ୍ଥାରେ ଠାବ ହେଲେ ଆସାମରୁ ନିଖୋଜ ମହିଳା । ମହିଳାଜଣଙ୍କ ନଭେମ୍ବରରେ ଆସାମରୁ ନିଖୋଜ ହୋଇଯାଇଥିବା ବେଳେ ଆଜି ତାଙ୍କ ମା’ଙ୍କୁ ପାକିସ୍ତାନର ଏକ ହ୍ବାଟ୍ସଅପ କଲର ଏହି ସୂଚନା ମିଳିଛି । ମହିଳାଙ୍କ ମା’ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାଏର କରିବା ସହ ତୁରନ୍ତ ଉଦ୍ଧାର ଦିଗରେ କାର୍ଯ୍ୟକ୍ରମ ହାତକୁ ନେବାକୁ ନିବେଦନ କରିଛନ୍ତି । ତେବେ ମହିଳା କିପରି ପାକିସ୍ତାନ ଗଲେ ଓ ସେଠାରେ କେଉଁ ପରିସ୍ଥିତିରେ ବନ୍ଦୀ ହେଲେ ସେ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ ।

ପାକିସ୍ତାନ ଜେଲରେ ଥିବା ମହିଳାଙ୍କ ନାମ ଓ୍ବାହିଦା ବେଗମ । ସେ ଗତବର୍ଷ ନଭେମ୍ବରରୁ ଆସାମରୁ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ନଭେମ୍ବର 30 ତାରିଖରେ ତାଙ୍କ ମା’ ଙ୍କୁ ଏକ ପାକିସ୍ତାନୀ ନମ୍ବରରୁ ହ୍ବାଟ୍ସଆପରେ କଲ ଆସିଥିଲା । ଓ୍ବାହିଦା ବେଗମଙ୍କୁ ଗିରଫ କରାଯାଇ ପାକିସ୍ତାନ ଜେଲରେ ରଖାଯାଇଥିବା ସମ୍ପୃକ୍ତ କଲରେ ସୂଚନା ଦିଆଯିବା ସହ ଏକ ଲିଗାଲ ନୋଟିସ ମଧ୍ୟ ପଠାଯାଇଥିଲା । ଏନେଇ ମହିଳା ପାକିସ୍ତାନ ଜେଲରେ ଥିବା ସ୍ପଷ୍ଟ ହେବା ପରେ ପରିବାର ଏବେ ନ୍ୟାୟ ଓ ସୁରକ୍ଷିତ ଉଦ୍ଧାର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସାମ ନଗାଓଁ ଜିଲ୍ଲାର ଅଧିବାସୀ ହେଉଛନ୍ତି ବେଗମ । ବର୍ଷେ ତଳେ ବେଗମଙ୍କ ପତି ମହମ୍ମଦ ମୋସିନ ଖାନଙ୍କର ଦେହାନ୍ତ ହୋଇସାରିଛି । ପତିଙ୍କ ଦେହାନ୍ତ ପରେ ବେଗମ ପ୍ରାୟ 1କୋଟି 60 ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କରିଥିଲେ । ପରେ ତାଙ୍କ ସମ୍ପର୍କରେ ଗତବର୍ଷ ନଭେମ୍ବର 10 ତାରିଖରୁ କୌଣସି ସୂଚନା ମିଳିନଥିଲା । ବେଗମଙ୍କ ମା’ ଏନେଇ ସ୍ଥାନୀୟ ନଗାଓଁ ପୋଲିସ ଷ୍ଟେସନରେ ଏକ ମିସିଂ ରିପୋର୍ଟ ମଧ୍ୟ ଲେଖାଇଥିଲେ କିନ୍ତୁ ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିବା ସେ ଅଭିଯୋଗ କରିଥିଲେ ।

ଏବେ ତାଙ୍କ ନିକଟକୁ ଆସିଥିବା କଲ ଜଣେ ପାକିସ୍ତାନୀ ଆଇନଜୀବୀଙ୍କ ପକ୍ଷରୁ ଆସିଥିବା ସେ ଅନୁମାନ କରୁଛନ୍ତି । ସମ୍ପୃକ୍ତ ଆଇନଜୀବୀଜଣଙ୍କ ତାଙ୍କୁ ହ୍ବାଟ୍ସଆପରେ ଏକ ଲିଗାଲ ନୋଟିସ ପଠାଇବା ସହ ଏହାର ଏକ କପି ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯାଇଥିବା ଅବଗତ କରିଥିଲେ । ପୋଲିସ ଠାରୁ ନିରାଶ ହୋଇଥିବା ବେଗମଙ୍କ ମା’ ଏବେ ସନ୍ତୋଷ ସୁମନ ନାମକ ଜଣେ ଆଇନଜୀବୀଙ୍କ ସହାୟତାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେହିପରି ସେ ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ଝିଅର ପ୍ରତ୍ୟାବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2023, 7:57 AM IST

ABOUT THE AUTHOR

...view details