ଗୌହାଟୀ: ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ । ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା । ଘଟଣାଟି ଘଟିଛି ଆସାମରେ । ମୋରଗାଁ ଜିଲ୍ଲା ବୋରାଲିମାରି ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଅଭିଯୁକ୍ତର ଗୁପ୍ତାଙ୍ଗ କାଟି ଦେଇଛନ୍ତି । ଅଭିଯୁକ୍ତ ଯୁବକ ଜଣେ କ୍ବାକ ବା ନକଲି ଡାକ୍ତର । ମହିଳା ତା' ପାଖରେ ଚିକିତ୍ସିତ ହେଉଥିଲେ । ଗତକାଲି (ସୋମବାର) ଚିକିତ୍ସା ବାହାନାରେ ସେ ମହିଳାଙ୍କ ଘରକୁ ଆସି ତାଙ୍କ ସହ ଅସଦ୍ ଆଚରଣ କରିଥିଲେ । ଏହାକୁ ବିରୋଧ କରି ମହିଳା ତା'ର ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି ।
ପୋଲିସ ସୂଚନା ଦେଇଛି ଯେ, ମହିଳା ଆତ୍ମରକ୍ଷା ପାଇଁ ମହିଳା ଅଭିଯୁକ୍ତର ଗୁପ୍ତାଙ୍ଗ କାଟିଥିବା ଦାବି କରିଛନ୍ତି । ତେବେ ଏନେଇ ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଅଭିଯୁକ୍ତର ନାମ ଉସମାନ ଅଲ୍ଲୀ ଓ ସେ କ୍ବାକ୍(ନକଲି) ଡାକ୍ତର ହୋଇଥିବା ଜଣାପଡିଛି । ବର୍ତ୍ତମାନ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛି । ଅନ୍ୟପଟେ ପୀଡିତା ମହିଳା ଥାନାରେ ପହଞ୍ଚି ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୁକ୍ତ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଗୌହାଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।