ଓଡିଶା

odisha

ETV Bharat / bharat

ଆସାମରେ ମୃତ ବ୍ୟକ୍ତିଙ୍କୁ ନେଇ ବର୍ବରତା, ବନ୍ଧା ହେଲେ କ୍ୟାମେରାମ୍ୟାନ - ଅଧାମରା ଲୋକକୁ ଲାତ୍

ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଲାତ ମାରିବା ସହ ମୃତକଙ୍କ ଉପରେ ଡିଆଁକୁଦା କରିବାର ଏକ ବର୍ବର ଦୃଶ୍ୟ ଆସାମରୁ ସାମ୍ନାକୁ ଆସିଥିଲା । ଯାହାକୁ ଦେଖିଲେ ଯେ କାହାର ବି ଲୋମଟାଙ୍କୁରି ଉଠିବ । ତେବେ ଭିଡିଓରେ ଥିବା ଯୁବକ ଜଣକ ଜଣେ କ୍ୟାମେରାମ୍ୟାନ ହୋଇଥିବାବେଳେ ତାକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ମୃତ ବ୍ୟକ୍ତି ଉପରେ ଡିଆଁକୁଦା କରି ବନ୍ଧା ହେଲା କ୍ୟାମେରାମ୍ୟାନ
ମୃତ ବ୍ୟକ୍ତି ଉପରେ ଡିଆଁକୁଦା କରି ବନ୍ଧା ହେଲା କ୍ୟାମେରାମ୍ୟାନ

By

Published : Sep 24, 2021, 3:33 PM IST

ଗୌହାଟୀ:ଗତକାଲି(ଗୁରୁବାର) ଆସାମ ଗୋରୁଖୁଟୀ ଜିଲ୍ଲାରୁ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ପୋଲିସର ଗୁଳିରେ ପ୍ରାଣ ହରାଇଥିଲେ । ଆଉ ମୃତ ଲୋକଟିକୁ ଜଣେ କ୍ୟାମେରାମ୍ୟାନ ଲାତ୍, ଗୋଇଠା ମାରିବା ସହ ତା' ଉପରେ ଡିଆଁକୁଦା କରିଥିଲେ । ବର୍ବରତାର ଏହି ଦୃଶ୍ୟ ଦେଖିଲେ ଯେକୌଣସି ବ୍ୟକ୍ତିର ଦେହ ଥରି ଉଠିବ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ କ୍ୟାମେରାମ୍ୟାନକୁ ଗୁରୁବାର ଗିରଫ କରାଯାଇଛି ଏବଂ କ୍ରିମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ(CID)କୁ ହସ୍ତାନ୍ତର କରାଯାଇଥିବା ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଏନେଇ ସୂଚନା ଦେଇଛନ୍ତି ।

ଆସାମରେ ମୃତ ବ୍ୟକ୍ତି ଉପରେ ବର୍ବରତା, ବନ୍ଧା ହେଲେ କ୍ୟାମେରାମ୍ୟାନ

କ୍ୟାମେରାମ୍ୟାନଟି ଦରାଙ୍ଗା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଷ୍ଟାଫ୍ ଅଟେ । ସେ ଗୁରୁବାର ଉଚ୍ଛେଦ ଅଭିଯାନ କଭର କରିବାକୁ ସେଠାକୁ ଯାଇଥିବା ଜଣାପଡିଛି । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଉକ୍ତ ଯୁବକ ଜଣକ କାହିଁକି ମୃତବ୍ୟକ୍ତି ସହ ଏଭଳି ଆଚରଣ ଏବଂ ଅସମ୍ମାନ ପ୍ରଦର୍ଶନ କରିଛି ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।

ସୂଚନା ଅନୁଯାୟୀ, ଦରଙ୍ଗ ଜିଲ୍ଲା ସିପାଝର ଥାନା ଅନ୍ତର୍ଗତ ଧଳପୁର ନିକଟରେ ଏହି ଘଟଣା ଘଟିଥିଲା । ସୁରକ୍ଷାବଳ ସହ ପ୍ରଶାସନର ଏକ ଟିମ୍ ସେହି ଅଞ୍ଚଳରେ ବେଆଇନ ଜବରଦଖଲ ଉଚ୍ଛେଦ କରିବାକୁ ସେଠାରେ ପହଞ୍ଚିଥିଲେ । କାରଣ ଯାହା ସୂଚନା ମିଳିଛି, ସେଠାକାର ବାସିନ୍ଦା ଦୁଇ ଦଶନ୍ଧି ଧରି 77,420 ବିଘା ସରକାରୀ ଜମି ଜବରଦଖଲ କରି ରହିଛନ୍ତି । ଯେତେବେଳେ ପ୍ରଶାସନ ଧଳପୁରର ଏକ ନଂ ଏବଂ ୨ ନଂ ଅଞ୍ଚଳରେ ପହଞ୍ଚିଥିଲା, ସେହି ସମୟରେ ସ୍ଥାନୀୟ ଲୋକେ ଉଚ୍ଛେଦକୁ ବିରୋଧ କରିଥିଲେ । ଶତାଧିକ ବିକ୍ଷୋଭକାରୀ ଏକଠି ହୋଇ ଆସାମ ସରକାର ଓ ପୋଲିସ ପ୍ରଶାସନ ବିରୁଦ୍ଧରେ ନାରାବାଜି ଦେବା ସହ ଉଚ୍ଛେଦକାରୀ ଟିମ୍ ଉପରେ ପଥର ମାଡ କରିଥିଲେ ।

ଯାହାକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷାବଳ ପ୍ରଥମେ ଲୁହବୁହା ଗ୍ୟାସ ଛାଡିବା ସହ ଫାଙ୍କା ଗୁଳିଚାଳନା କରିଥିଲେ । ଏହାପରେ ଉତ୍ୟକ୍ତ ଲୋକେ ବାଉଁଶ ଏବଂ ମାରଣାସ୍ତ୍ର ଧରି ପୋଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ ବାଧ୍ୟ ହୋଇ ଉତ୍ୟକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଯେଉଁଥିରେ ଦୁଇ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷ ମଧ୍ୟରେ ପାଖାପାଖି ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details