ନୂଆଦିଲ୍ଲୀ:ଦୁଇ ଉତ୍ତର ପୂର୍ବ ରାଜ୍ୟ ଆସାମ ଏବଂ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇଛି । ଆଜି ଦିଲ୍ଲୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ରାଜିନାମାରେ ସ୍ବାକ୍ଷର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ.ସାଙ୍ଗମା ।
ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଆସାମ ଏବଂ ମେଘାଳୟର ସରକାର 884 କିଲୋମିଟର ସୀମାରେ ଥିବା 12ଟି ବିବାଦୀୟ କ୍ଷେତ୍ର ମଧ୍ୟରୁ 6ଟିରେ ସମାଧାନ ପାଇଁ ଏକ ଡ୍ରାଫ୍ଟ ସଂକଳ୍ପରେ ସ୍ବାକ୍ଷରିତ କରିଛନ୍ତି । ସଙ୍କଳ୍ପପତ୍ର ଅନୁସାରେ, 36.79 ବର୍ଗ କିଲୋମିଟର ବିବାଦୀୟ ଅଞ୍ଚଳରୁ ଆସାମ 18.51 ବର୍ଗ କିମି ରଖିବ ଏବଂ ଅବଶିଷ୍ଟ 18.28 ବର୍ଗ କିଲୋମିଟର ମେଘାଳୟ ସୀମାରେ ସାମିଲ ହେବ । 1972 ମସିହାରେ ମେଘାଳୟ ଆସାମରୁ ବିଭକ୍ତ ହୋଇ ପୃଥକ ରାଜ୍ୟ ମାନ୍ୟତା ପାଇଥିଲା । ତେବେ ସେବେଠାରୁ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗି ରହିଥିଲା ।