ଗୌହାଟୀ:ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଏଥିରେ ଅନେକ ଲୋକଙ୍କ ଜୀବନ ଗଲାଣି । ଗୁରୁବାର ଆଉ ୭ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ହଜାର ହଜାର ପଶୁପକ୍ଷୀ ମଧ୍ୟ ବନ୍ୟାଜଳରେ ଭାସି ଯାଇଛନ୍ତି । ଏହାରି ଭିତରେ ଗୁରୁବାର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ସିଲଚର ସହରର ଏରିଏଲ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସିଲଚରର ବନ୍ୟା ବିପନ୍ନଙ୍କୁ ଭାରତୀୟ ବାୟୁସେନା ଯୋଗେ ପାନୀୟ ଜଳ ବୋତଲ ଯୋଗାଇ ଦିଆଯିବ । ବାୟୁସେନାର ସ୍ବତନ୍ତ୍ର କ୍ରାଫ୍ଟ ଯୋଗେ ପ୍ରତିଦିନ ଏକ ଲକ୍ଷ ପାଣି ବୋତଲ ବୁହାହୋଇ ଲୋକଙ୍କୁ ପ୍ରଦାନ କରାଯିବ । ବନ୍ୟାସ୍ଥିତି ଲାଗି ରହିଥିବା ଯୋଗୁଁ ଗତ କିଛି ଦିନ ହେଲା ସିଲଚର ସହରର ହଜାର ହଜାର ଲୋକେ ପାଣି ଏବଂ ବିଦ୍ୟୁତ ସମସ୍ୟା ଭୋଗୁଛନ୍ତି । ସେମାନଙ୍କୁ ପିଇବା ପାଇଁ ପାନୀୟ ଜଳ ମିଳୁନାହିଁ ।"