ଦିସପୁର: ଆସାମରେ ଗାଦି ସମ୍ଭାଳିବାର 2 ମାସ ଭିତରେ ହିମନ୍ତ ବିଶ୍ବଶର୍ମା ସରକାରଙ୍କ ବିରୋଧରେ ବଡ ଅଭିଯୋଗ । ଆସାମ ପୋଲିସର ଖାକି ପୋଷାକରେ ଲାଗିଛି ଫେକ୍ ଏନକାଉଣ୍ଟରର ଦାଗ । ଆଉ ଏହାପରେ ଜାତୀୟ ମାନବାଧିକାର ଆୟୋଗ(NHRC) ରାଡାରକୁ ଆସିଛନ୍ତି ଆସାମ ସରକାର ।
ଅପରାଧିଙ୍କ ଉପରେ ଆସାମ ପୋଲିସର ଅଙ୍କୁଶ ଲଗାଇବାର ଏନକାଉଣ୍ଟର ପନ୍ଥାକୁ ସହଜରେ ହଜମ କରିପାରୁନାହାଁନ୍ତି ବିରୋଧୀ । ଯାହାଫଳରେ ଜାତୀୟ ମାନବାଧିକାର ନିକଟରେ ଏ ସମସ୍ତ ଏନକାଉଣ୍ଟରକୁ ଫେକ ବୋଲି ଦର୍ଶାଇ ଫେରାଦ ହୋଇଛନ୍ତି ଦିଲ୍ଲୀର ଆଇନଜୀବୀ ଆରିଫ ଜ୍ବାଦର ।
ଜୁନ ପହିଲାରୁ ନେଇ ବର୍ତ୍ତମାନସୁଦ୍ଧା ହୋଇସାରିଲାଣି 20 ଏନକାଉଣ୍ଟର । ଏନକାଉଣ୍ଟରରେ ନିପାତ ଆତଙ୍କବାଦୀଙ୍କ ମଧ୍ୟରୁ କିଏ ହେପାଜତରୁ ଫେରାର ହେବାକୁ ଚେଷ୍ଟା କରୁଥିଲା ତ ଆଉ କିଏ ଚଢାଉ ସମୟରେ ପୋଲିସ ଉପରକୁ କରିଥିଲା ଆକ୍ରମଣ ।
ରବିବାର ମଧ୍ୟ ଘଟିଛି ଏଭଳି 2ଟି ଘଟଣା । ଏଥିରେ ଆସାମର ନଗାଁ କୋକରାଝରରେ ପୋଲିସ ତଥାକଥିତ ଡକାୟତଙ୍କ ମୁଣ୍ଡ ଗଡାଇଛି । ସେହିପରି ଆଉ ଏକ ଘଟଣାରେ ଜଣେ ଡ୍ରଗ୍ସ ଡିଲରକୁ ଗୁଳି କରି ଆହତ ଅବସ୍ଥାରେ ଗିରଫ କରିଛି ପୋଲିସ ।
ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ, ଛୋଟମୋଟ ଅପରାଧୀଙ୍କ ଫେକ୍ ଏନକାଉଣ୍ଟର କରି ହେପାଜତରୁ ଫେରାର ହେଉଥିବା ମିଥ୍ୟା ବୟାନ ଦେଉଛି ପୋଲିସ । ସମସ୍ତ ଅପରାଧୀ ଛୋଟ ଅପରାଧୀ ଓ ଆତଙ୍କୀ ନୁହଁନ୍ତି ବୋଲି ଆଇନଜୀବୀ ଯୁକ୍ତ ବାଢିଛନ୍ତି ।