ଗୌହାଟୀ:ଆସାମ କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଆଜି ଆସାମର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଦ୍ବାରା ଦାଏର କରାଯାଇଥିବା ମାମଲାରେ ସିସୋଦିଆଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର 19 ତାରଖରେ ହାଜର ହେବା ପାଇଁ ଜାରି ହୋଇଥିବା ସମନରେ କୁହାଯାଇଛି (Himanta Biswa Sarma filed case on Manish Sisodia)। ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ତାଙ୍କ ବିରୋଧରେ ମିଥ୍ୟା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଏକ ଅପରାଧିକ ମାମଲା ଦାଏର କରିଥିଲେ ।
ଜୁନ ମାସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଦୁର୍ନୀତି ଅଭିଯୋଗ ଆଣିଥିଲେ ସିସୋଦିଆ । କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ନିଜ କ୍ଷମତାର ଅପବ୍ୟବହାର କରି ନିଜ ପତ୍ନୀଙ୍କ ଦ୍ବାରା ପରିଚାଳିତ ଏକ କମ୍ପାନୀକୁ ପିପିଇ କିଟ କିଣିବାର ଟେଣ୍ଡର ଦେଇଥିବା ଅଭିଯୋଗ କରିଥିଲେ ସିସୋଦିଆ । ତେବେ ଏହି ଟେଣ୍ଡର ପାଇଁ ସ୍ବାଭାବିକ ବଜାର ଦର ଠାରୁ ବହି ପରିମାଣର ଅଧିକ ରାଶି ପ୍ରଦାନ କରାଯାଇବା ମଧ୍ୟ କହିଥିଲେ ସିସୋଦିଆ ।