ପାଟନା: ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଏହା ବିରୋଧରେ ଗତକାଲି ଠାରୁ ବିହାରରେ ଲାଗି ରହିଛି ଛାତ୍ର ଉତ୍ତେଜନା । ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗିରହିଥିବ ବେଳେ ଆଜି ହିଂସା ଦେଖିବାକୁ ମିଳିଛି । ଗୟାରେ ଶତାଧିକ ଆବେଦନକାରୀ ଭାବୁଆ-ପାଟନା ଇଣ୍ଟରସିଟି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦେଇଛନ୍ତି । ବଗିଟି ସମ୍ପୂର୍ଣ୍ଣ ପୋଡିଯାଇଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ଫଳରେ ଅଶାନ୍ତ ହୋଇଉଠିଛି ବିହାର ।
ଘଟଣା ପରେ ରେଳମନ୍ତ୍ରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଅନିୟମିତା ଅଭିଯୋଗ ପାଇଁ ଏକ କମିଟି ଗଠନ ହେବ । ଅଭିଯୋଗ ଆଣିଥିବା ଛାତ୍ରାଛାତ୍ରୀମାନେ ଫେବୃଆରୀ 16 ତାରିଖ ପର୍ଯ୍ୟନ୍ତ କମିଟି ସମ୍ମୁଖରେ ନିଜର ଅଭିଯୋଗ ଦାଖଲ କରିପାରିବେ । କମିଟି ଅଭିଯୋଗର ଯାଞ୍ଚ କରିବ ଏବଂ ମାର୍ଚ୍ଚ 4 ପୂର୍ବରୁ ରେଳ ମନ୍ତ୍ରଣାଳୟକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଗତକାଲି (ମଙ୍ଗଳବାର) ରେଳବାଇ ଏକ ସାଧାରଣ ବିଜ୍ଞପ୍ତି ଜାରି କରି ବିକ୍ଷୋଭକାରୀ ଆଶାୟୀ ଛାତ୍ରାଙ୍କୁ କଠୋର ଚେତାବନୀ ମଧ୍ୟ ଦେଇଛି । ଯେଉଁମାନେ ଅନିୟମିତତା ଅଭିଯୋଗ କରି ହିଂସା କିମ୍ବା ଭଙ୍ଗାରୁଜାରେ ସାମିଲ ହେଉଛନ୍ତି ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରିଛି ରେଳବାଇ ।