ଲକ୍ଷ୍ନୌ:ଚପଲ ପିନ୍ଧି ଆଇସିୟୁ ୱାର୍ଡ ଭିତରକୁ ଯାଉଥିଲେ ମେୟର । ଡାକ୍ତର ଚପଲ ଖୋଲିବାକୁ କହିବାରୁ ରାଗିଗଲେ ମେୟର ମ୍ୟାଡମ୍ । ଏହାକୁ ନେଇ ଡାକ୍ତରଙ୍କ ସହ ପ୍ରବଳ ପାଟିତୁଣ୍ଡ କଲେ । ରାଗ ଏତେ ହେଲା ଯେ, ହସ୍ପିଟାଲ ଭାଙ୍ଗିବାକୁ ସିଧା ବୁଲଡୋଜର ଡକାଇଲେ । ଘଟଣାଟି ହେଉଛି ଉତ୍ତର ପ୍ରଦେଶ ଲକ୍ଷ୍ନୌ ଅନ୍ତର୍ଗତ ବିଜାନୌର ଅଞ୍ଚଳର । ସମ୍ପୃକ୍ତ ମେୟର ହେଲେ ସୁଷମା ଖର୍କୱାଲ ।
ସୂଚନା ଅନୁସାରେ, ଗତ ସୋମବାର ଦିନ ମେୟର ସୁଷମା ଖର୍କୱାଲ ନିଜର ଷ୍ଟାଫଙ୍କ ସହ ସହରର ବିନାୟକ ମେଡିକେୟାର ହସ୍ପିଟାଲରେ ଜଣେ ଚିକିତ୍ସାଧୀନ କର୍ମଚାରୀଙ୍କୁ ଭେଟିବାକୁ ଯାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ମେୟର ଚପଲ ପିନ୍ଧି ଆଇସିୟୁ ୱାର୍ଡ ଭିତରେ ପ୍ରବେଶ କରିଥିଲେ । ଏହାଦ୍ବାରା ଆଇସିୟୁରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏହାଦେଖି ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମେୟରଙ୍କ ଅଟକାଇ ଚପଲ ଖୋଲି ଯିବାକୁ କହିଥିଲେ ।
ଏଥିରେ ଖୁବ୍ ରାଗି ଯାଇଥିଲେ ମେୟର । ଡାକ୍ତର ଓ କର୍ମଚାରୀଙ୍କ ସହ ପ୍ରବଳ ପାଟିତୁଣ୍ଡ କରିଥିଲେ । ଏହାପରେ ସମ୍ପୃକ୍ତ ହସ୍ପିଟାଲ ଭାଙ୍ଗିବାକୁ ବୁଲଡୋଜର ଓ ନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ବାର୍ଡକୁ ଡକାଇ ଦେଇଥିଲେ । ବୁଲଡୋଜର ଓ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ହସ୍ପିଟାଲ ନିକଟରେ ପହଞ୍ଚିବା ମାତ୍ରେ ଜୋରଦାର ହଙ୍ଗାମା ହୋଇଥିଲା । ସ୍ଥିତି ଅଧିକ ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା ।