ଓଡିଶା

odisha

ETV Bharat / bharat

ଜ୍ଞାନବ୍ୟାପୀ ମାମଲା: ସର୍ଭେ ରିପୋର୍ଟ ଦାଖଲ ପାଇଁ ଆଉ ୧୫ଦିନ ସମୟ ଲୋଡିଲା ASI - ଅତିରିକ୍ତ ସମୟ ଲୋଡିଲା ଏଏସଆଇ

Gyanvapi case update: ଜ୍ଞାନବ୍ୟାପୀ ମସଜିଦରେ ଆଉ ୧୫ ଦିନ ସର୍ଭେ କରିପାରେ ଏଏସଆଇ । ଏଥିଲାଗି ଶୁକ୍ରବାର କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଥିବା ସୂଚନା । ଅଧିକ ପଢନ୍ତୁ

Gyanvapi case
Gyanvapi case

By ETV Bharat Odisha Team

Published : Nov 17, 2023, 9:03 PM IST

ଲକ୍ଷ୍ନୌ:ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମାମଲା । ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି କୋର୍ଟଙ୍କୁ ଆଉ ୧୫ ଦିନ ସମୟ ମାଗିଲା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ASI) । ଟେକ୍ନୋଲୋଜିକୁ ଉପଯୋଗ କରି ମସଜିଦ ପରିସରରେ ହୋଇଥିବା ସର୍ଭେର କିଛି ଅପଡେଟ ଲାଗି ଏଏସଆଇ ଅତିରିକ୍ତ ସମୟ ଲୋଡ଼ିଥିବା କହିଛି । ଏନେଇ କୋର୍ଟରେ ଏଏସଆଇ ପକ୍ଷରୁ ଆବେଦନ ହୋଇଥିବା ବେଳେ ଆଜି (ଶୁକ୍ରବାର) କୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିବା ବେଳେ ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ଆଶା କରାଯାଉଛି ଯେ ଆସନ୍ତାକାଲି କୋର୍ଟ ଏହି ମାମଲାରେ ରାୟ ଶୁଣାଇବେ । ଏଏସଆଇକୁ ସର୍ଭେ ଲାଗି ପୁଣି ସମୟ ଦିଆଯିବ ନା ନାହିଁ ସେ ସମ୍ପର୍କରେ କୋର୍ଟ ନିଷ୍ପତ୍ତି ନେବେ । ପ୍ରାୟ ୧୦୦ ଦିନ ଧରି ଜାରି ରହିଥିବା ସର୍ଭେରେ କୋର୍ଟରେ ୩୦୦ରୁ ଅଧିକ ସାକ୍ଷ୍ୟ ପ୍ରମାଣ ଦାଖଲ କରାଯାଇଛି । ଏଏସଆଇ ପକ୍ଷରୁ ସରକାରୀ ଓକିଲ ଅମିତ ଶ୍ରୀବାସ୍ତବ ଆବେଦନ ପରେ ଅତିରିକ୍ତ ୧୫ ଦିନ ସମୟ ଲୋଡ଼ିଛନ୍ତି । ଏନେଇ ଆଇନଜୀବୀ ଶ୍ରୀବାସ୍ତବ କହିଛନ୍ତି ଯେ ସର୍ଭେ ଟିମର ଅଧିକାରୀମାନେ ରିପୋର୍ଟକୁ ଠିକ ଭାବେ ପ୍ରସ୍ତୁତ କରିପାରିନାହାନ୍ତି । ଏଥିରେ କିଛି ଟେକ୍ନୋଲୋଜି ଅପଡେଟ ରହିଥିବାରୁ ଏହି ଅତିରିକ୍ତ ସମୟ ମଗାଯାଇଛି ।

ଏହା ବି ପଢନ୍ତୁ- Gyanvapi Case: ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASIର ସାଇଣ୍ଟିଫିକ୍ ସର୍ଭେ

ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇର ସର୍ଭେ ଗତ ନଭେମ୍ବର ୨ ତାରିଖରେ ପୁରା ହୋଇଥିଲା । ଏହାପରେ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ଏଏସଆଇକୁ ୧୭ ତାରିଖ ସମୟ ଦିଆଯାଇଥିଲା । ଏଥିଲାଗି ଏଏସଆଇ ପ୍ରାୟ ୪୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଏହାକୁ କୋର୍ଟରେ ଦାଖଲ କରାଯିବ । ଏହି ୪୦୦ ପୃଷ୍ଠାର ରିପୋର୍ଟରେ ଗତ ଜୁଲାଇ ୨୧ ତାରିଖ କୋର୍ଟଙ୍କ ଆଦେଶ ପରେ ଅଗଷ୍ଟ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ସର୍ଭେର ସମସ୍ତ ତଥ୍ୟ ଏହି ରିପୋର୍ଟରେ ରହିଛି । ଜୁଲାଇ ୨୧ ତାରିଖରେ ସର୍ଭେ ଲାଗି ବାରଣାସୀ ଜିଲ୍ଲା ଜଜ ନ୍ୟାୟାଳୟ ସର୍ଭେ ଆରମ୍ଭ ପାଇଁ ଅନୁମତି ଦେଇଥିଲେ ।

ଏହା ବି ପଢନ୍ତୁ- Gyanvapi survey: କୋର୍ଟ ବାହାରେ ବୁଝାମଣା ପ୍ରସ୍ତାବରେ ହିନ୍ଦୁପକ୍ଷ ଦୁଇ ଭାଗ !

ମାମଲା ସୁପ୍ରିମକୋର୍ଟରେ ଥିବା ଯୋଗୁଁ ଅଧାରେ ସର୍ଭେ ଅଟକିଥିଲା । ଏହାପରେ ହାଇକୋର୍ଟରେ ଏହାର ଶୁଣାଣି ହୋଇଥିବା ବେଳେ ପୁଣି ସର୍ଭେ କାମ ଆରମ୍ଭ ହୋଇଥିଲା । ଏହାପରେ ଅଗଷ୍ଟ ୪ଠାରୁ ସର୍ଭେ ଲଗାତାର ଭାବେ ଜାରି ରହିଥିଲା । ମସଜିଦ ପରିସରରେ ସର୍ଭେ ହୋଇଥିଲା । ବୈଜ୍ଞାନିକ ରିପୋର୍ଟ ଦାଖଲ କରିବା ଲାଗି ଏଏସଆଇକୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ କୋର୍ଟକୁ ଏଏସଆଇ ଅତିରିକ୍ତ ସମୟ ମାଗିଥିଲା । ଏହାପରେ କୋର୍ଟ ସେପ୍ଟେମ୍ବର ୬ରେ ଆଦେଶ ଦେଇ ପୁଣି ନଭେମ୍ବର ୧୭ ସମୟ ଦେଇଥିଲେ । ତେବେ ଆଜି ଏଏସଆଇ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିପାରିନଥିବା ବେଳେ ଆଉ ୧୫ ଦିନର ସମୟ ମାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details