ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ନବସୃଜନ (ଇନୋଭେସନ) କ୍ଷେତ୍ରରେ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କର ସହଯୋଗ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ ‘ଷ୍ଟାର୍ଟଅପ୍ସ ଫର ରେଲୱେଜ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ନୂଆନୀତି ଫଳରେ ଭାରତୀୟ ରେଳବାଇ ନବ ଉନ୍ମେଷିତ ଷ୍ଟାର୍ଟଅପ ଉଦ୍ୟୋଗର ସହଯୋଗରେ ନିଜର କାର୍ଯ୍ୟଦକ୍ଷତା, ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବିଶେଷ ଉପକୃତ ହୋଇପାରିବ ।
ସମ୍ପୃକ୍ତ ଉଦ୍ୟୋଗ ତାହାର ନବସୃଜନକାରୀ ପ୍ରଯୁକ୍ତି (ଇନୋଭେଟିଭ ଟେକନୋଲୋଜି) ମାଧ୍ୟମରେ ଭାରତୀୟ ରେଳବାଇର ବିକାଶ ଯାତ୍ରାରେ ଅଂଶୀଦାର ହୋଇପାରିବେ । ଭାରତରେ ଏବେ ଯେଉଁ ଷ୍ଟାର୍ଟଅପ ଉଦ୍ୟୋଗ ରହିଛି ତାହାର ସାମର୍ଥ୍ୟର ଯଥାର୍ଥ ଉପଯୋଗ ଏଯାବତ ହୋଇନାହିଁ । ଏହି ଉଦ୍ୟୋଗ ଦ୍ୱାରା ବିକଶିତ ଇନୋଭେଟିଭ ଟେକନୋଲୋଜିର ଲାଭ ରେଳବାଇ ଉଠାଇ ପାରିବ । ଏହାଦ୍ୱାରା ରେଳବାଇର ନିରାପତ୍ତା ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି ଆସିବ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, "ଭାରତୀୟ ରେଳବାଇରେ ନୂଆ ନୂଆ ଟେକନୋଲୋଜିକୁ ସମନ୍ୱିତ କରିବା ଦୀର୍ଘକାଳ ଧରି ଯେଉଁ ଆଲୋଚନା ଓ ଚର୍ଚ୍ଚା ଚାଲିଥିଲା, ଆଜି ତାହାର ଅବସାନ ଘଟିଛି । ଆଜି ରେଳବାଇ ଦ୍ୱାରା ଆରମ୍ଭ କରାଯାଇ ଥିବା ନୂଆ ଯୋଜନା ଓ ପ୍ରୟାସ ମାଧ୍ୟମରେ ଦ୍ୱାରା ଏହି ଟେକନୋଲୋଜି ସମନ୍ୱୟ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ରୂପପାଇଛି ।"