ଜୟପୁର:କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ । ରାଜସ୍ଥାନରେ ରାଜାନୈତିକ ସଙ୍କଟ ପରେ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତାରୁ ଓହରି ଯାଇଛନ୍ତି ଗେହଲଟ । କଂଗ୍ରେସର ଅନେକ ଛାମୁଆ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନେଇ ଘୋଷଣା କରିଛନ୍ତି ।
ଅଶୋକ ଗେହଲଟ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ରାହୁଲ ଗାନ୍ଧୀଙ୍କୁ କୋଚିରେ ଭେଟିଥିଲି । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତାଙ୍କୁ ମୁଁ ନିବେଦନ କରିଥିଲି । କିନ୍ତୁ ସେ ଲଢ଼ିବେ ନାହିଁ ବୋଲି କହିବା ପରେ, ମୁଁ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରିବି ବୋଲି କହିଥିଲି । ରାଜସ୍ଥାନର ସଙ୍କଟ ସ୍ଥିତି ପରେ ମୁଁ ଏହି ପଦ ପାଇଁ ପ୍ରତିଦ୍ବନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଛି ।"
ରାଜାସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ନେଇ ଗେହଲଟ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାକୁ ପ୍ରସ୍ତୁତ ହେଉଥିବାରୁ ରାଜସ୍ଥାନ ଗାଦିରେ କିଏ ବସିବ ତାହାକୁ ନେଇ ଗେହଲଟ ଗୋଷ୍ଠୀ ବିଦ୍ରୋହ କରିଥିଲେ । ଏହାକୁ ନେଇ ଗେହଲଟ କହିଛନ୍ତି ଯେ, ଯାହା ବି ଘଟିଲା ତାହା ପ୍ରତ୍ୟେକଙ୍କୁ ସ୍ତବ୍ଧ କରିଛି ।
ଏହି କ୍ରମରେ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଅଶୋକ ଗେହଲଟ । ଗେହଲଟ କହିଛନ୍ତି, "ମୁଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲି । ଯାହା ବି ଘଟିଛି ତାହାକୁ ନେଇ ଆମେ ସ୍ତବ୍ଧ । ପ୍ରତ୍ୟେକ ଭାବୁଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ରଖିବାକୁ ଚାହୁଁଛି । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରିଛି ।"
ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ତାହାକୁ ନେଇ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କଂଗ୍ରେସ କର୍ମୀ ଅଧ୍ୟକ୍ଷଙ୍କ ତତ୍ତ୍ବବଧାନରେ କାମ କରୁଛନ୍ତି । ସେ ହିଁ ଆଗାମୀ ସ୍ଥିତିକୁ ନେଇ ଯାହା ନିଷ୍ପତ୍ତି ନେବା କଥା ନେବେ ବୋଲି କହିଛନ୍ତି ଗେହଲଟ ।