ନୂଆଦିଲ୍ଲୀ:ଭାରତରେ ସୁନାମି ଭଳି ମାଡୁଛି ସଂକ୍ରମଣ । ନେତା, ମନ୍ତ୍ରୀ, ସେଲିବ୍ରେଟି ସମସ୍ତଙ୍କୁ କବଳିତ କରୁଛି ମହାମାରୀ । ଗତ କିଛି ଦିନ ମଧ୍ୟରେ ଦେଶର ବହୁ ବରିଷ୍ଠ ରାଜନେତା ସଂକ୍ରମଣର ଶିକାର ହୋଇଛନ୍ତି । ଏବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କୋରୋନା ପଜିଟିଭ ଅଛନ୍ତି । ଉଭୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦ୍ବିତୀୟ ଥର ପାଇଁ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ଦ୍ବିତୀୟ ଲହର ସମୟରେ ଗେହଲଟ୍ କୋରୋନା ଆକ୍ରାନ୍ତ ହୋଇଥିଲେ । ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଗେହଲଟ୍ କରିଛନ୍ତି, ମୁଁ ଗୁରୁବାର ସନ୍ଧ୍ୟାରେ କୋରୋନା ଟେଷ୍ଟ କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ ଆସିଛି । ମୋ ଠାରେ ସାମାନ୍ୟ ଲକ୍ଷଣ ରହିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ କୋଭିଡ ଟେଷ୍ଟ କରାନ୍ତୁ ଏବଂ ଆଇସୋଲେସନରେ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ବୁଧବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ ।