ଲକ୍ଷ୍ନୌ: ବହୁଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣା । ଆଜି ଜେରା ପାଇଁ ପୋଲିସ ନିକଟରେ ହାଜର ହେଲେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା । ଆଜି ଦିନ ୧୧ଟା ସମୟରେ ଆଶିଷ ହାଜର ହେବେ ବୋଲି ପୂର୍ବରୁ ସଲିସିଟର ଜେନେରାଲ ହରିଶ ସାଲ୍ବେ ସୁପ୍ରିମକୋର୍ଟରେ ଜଣାଇଥିଲେ । ଯାହାକୁ ଦୃଷ୍ଟିରେ ରଖି ପୋଲିସ ଆଶିଷ ମିଶ୍ରଙ୍କୁ ପୁନର୍ବାର ସମନ ଜାରି କରିଥିଲା ।
ଆଶିଷ ମିଶ୍ର ଗତ ୮ ତାରିଖ ଦିନ ଜେରା ପାଇଁ ହାଜର ହେବାର ଥିଲା । ମାତ୍ର ଧାର୍ଯ୍ୟ ସମୟରେ ସେଠାରେ ପହଞ୍ଚି ନଥିଲେ । ଯାହାକୁ ନେଇ ଉତ୍ତରପ୍ରଦେଶ ସରକାର ଉପରେ ଖପ୍ପା ହୋଇଥିଲେ ସୁପ୍ରିମକୋର୍ଟ । ଏପରିକି ପୋଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।
ସୂଚନା ଥାଉକି, ଗତ ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଅଭାବନୀୟ ଘଟଣା ପରେ ପୁଣି ଭୀଷଣ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣ କୃଷକଙ୍କ ସମେତ ଜଣେ ସାମ୍ବାଦିକ, ତିନି ବିଜେପି କାର୍ଯ୍ୟକର୍ତ୍ତା ଏବଂ ମନ୍ତ୍ରୀଙ୍କ ଡ୍ରାଇଭରର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଅକ୍ଟୋବର ୪ ତାରିଖ ଦିନ ଜଣେ କୃଷକଙ୍କ ଅଭିଯୋଗ ପରେ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା 302, 304 ସମେତ ଅନେକ ସାଙ୍ଘାତିକ ମାମଲା ଆଧାରରେ ମାମଲା ରୁଜୁ ହୋଇଥିଲା ।