ଜାକର୍ତ୍ତା:ଇଣ୍ଡୋନେସିଆରେ ଦ୍ବାରା ଆୟୋଜିତ ହୋଇଥିବା ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ସମ୍ମୁଖରେ ଭାରତର ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିକାଶର କେନ୍ଦ୍ରସ୍ଥଳ ଏସିଆନ । ଭାରତ ଓ ଏସିଆନ ଭିତରେ ଦ୍ରୁତ ଗତିରେ ସହଯୋଗ ବଢିଛି । ଏକବିଂଶ ଶତାଦ୍ଦୀ ଏସିଆର ଶତାଦ୍ଦୀ । 'ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର ଆମର ମନ୍ତ୍ର' । ଆମେ ସବୁ କ୍ଷେତ୍ରରେ ମିଶି କାମ କରିବା ଜରୁରୀ । ଏହାସହ ପ୍ରଗତି ପାଇଁ ନୂତନ ସଂକଳ୍ପ ନେବା ଦରକାର ବୋଲି ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବିକାଶର କେନ୍ଦ୍ରସ୍ଥଳ ଏସିଆନ:୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ଚଳିତ ବର୍ଷ ଏସିଆନ ସମ୍ମିଳନୀର ଥିମ ରହିଛି ASEAN Matters Epicentrum of Growth ବା ଅଭିବୃଦ୍ଧିର କେନ୍ଦ୍ରସ୍ଥଳ । ଏସିଆନ ମ୍ୟାଟର୍ସ କାରଣ ଏଠାରେ ସମସ୍ତଙ୍କ ସ୍ବର ଶୁଣାଯାଏ । ଏସିଆନ ବିକାଶର କେନ୍ଦ୍ରସ୍ଥଳ କାରଣ ବୈଷୟିକ ବିକାଶରେ ଏସିଆନ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି । ବସୁଧୈବ କୁଟୁମ୍ବକମ, 'ୱାନ ଆର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚର ଭାବନା ଭାରତର ଜି 20 ଅଧ୍ୟକ୍ଷତାର ଥିମ । ଏହା ଆମର ମୂଳ ମନ୍ତ୍ର । ପୂର୍ବ ବର୍ଷ ଆମେ ଭାରତ ଏସିଆନ ବନ୍ଧୁତା ଦିବସ ପାଳନ କରିଥିଲୁ । ପରସ୍ପରର ସମ୍ପର୍କକୁ ବ୍ୟାପକ ରଣନୀତି ଭାଗିଦାରୀର ରୂପ ଦେଇଥିଲୁ । ଆଜି ଆମ ମଧ୍ୟରେ ଦ୍ରୁତ ଗତିରେ ସହଯୋଗ ବଢିଛି । ଆମକୁ ସବୁ କ୍ଷେତ୍ରରେ ମିଶି କାମ କରିବା ଜରୁରୀ । ଏହା ସହ ପ୍ରଗତି ପାଇଁ ନୂତନ ସଂକଳ୍ପ ନେବା ଦରକାର ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଆମର ସହଭାଗୀତା ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଛି । ଏହି ସମୟରେ ଭାରତ-ଏସିଆନ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ମୋ ପାଇଁ ଗର୍ବର ବିଷୟ । ଏହି ସମ୍ମିଳନୀର ଆୟୋଜନ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ହୃଦୟରୁ ଅନେକ ଅନେକ ଅଭିନନ୍ଦନ । ଆମ ଇତିହାସ ଓ ଭୂଗୋଳ ଭାରତ ଓ ଏସିଆନକୁ ଯୋଡିଛି । ଏହା ସହିତ କ୍ଷେତ୍ରୀୟ ଏକତା, ଶାନ୍ତି, ସମୃଦ୍ଧିରେ ଦୁଇ ଦେଶ ମଧ୍ୟରେ ବିଶ୍ବାସ ଆମକୁ ପରସ୍ପର ସହ ଯୋଡିଛି । ଏସିଆନ ଭାରତର ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ରୀୟ ସ୍ତମ୍ଭ । ଭାରତର ଇଣ୍ଡୋ ପାସିଫିକ ପଦକ୍ଷେପରେ ଏସିଆନ କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି । ମାନବ କଲ୍ୟାଣ ପାଇଁ ସବକା ପ୍ରୟାସ ହେବା ଜରୁରୀ । ସମସ୍ତଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ଭାରତ ପ୍ରତିବଦ୍ଧ । ମୋର ବିଶ୍ବାସ ରହିଛି ଆଜିର ଏହି ଆଲୋଚନା ଭବିଷ୍ୟତ ପାଇଁ ନୂଆ ସଂକଳ୍ପ ନିଆଯିବ ।''
ଏହା ବି ପଢନ୍ତୁ...ଇଣ୍ଡୋନେସିଆର ମୋଦି, ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ
ପ୍ରକାଶ ଥାଉ କି, ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଓ 18ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେବାକୁ ଗତକାଲିଠୁ (ବୁଧବାର) ଦିଲ୍ଲୀରୁ ଇଣ୍ଡୋନେସିଆ ଅଭିମୁଖେ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାଣ୍ଡ ୱେଲକମ କରାଯାଇଥିଲା । ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ଭବ୍ୟ ସ୍ବାଗତ କରାଯାଇଥିଲା । ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଓ 18ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେଇ ଆଜି ଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ।