ଓଡିଶା

odisha

ଶରଦ ନଫେରିଲେ କି‘ଏ ? ସୁପ୍ରିୟା ସୁଲେଙ୍କ ସମର୍ଥନରେ ଦଳ !

By

Published : May 3, 2023, 10:39 PM IST

2ରୁ 3 ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ସ୍ପଷ୍ଟ କରିବେ ଶରଦ ପାଓ୍ବର । ସୁପ୍ରିୟା ସୁଲେଙ୍କ ସମର୍ଥନରେ ଦଳର ଏକ ବଡ ଗୋଷ୍ଠୀ ଥିବା ସୂଚନା । ଅଧିକ ପଢନ୍ତୁ

ପାଓ୍ବରଙ୍କ ଇସ୍ତଫା ପରେ ସୁପ୍ରିୟା ସୁଲେଙ୍କ ସମର୍ଥନରେ ଦଳ
ପାଓ୍ବରଙ୍କ ଇସ୍ତଫା ପରେ ସୁପ୍ରିୟା ସୁଲେଙ୍କ ସମର୍ଥନରେ ଦଳ

ମୁମ୍ବାଇ: ଦଳର ଅନୁରୋଧ କ୍ରମେ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ଶରଦ ପାଓ୍ବର ଦେଇଥିବା ନିଜ ଇସ୍ତଫା ସମ୍ପର୍କରେ ପୁନଃ ସମୀକ୍ଷା କରୁଛନ୍ତି । 2ରୁ 3 ଦିନ ମଧ୍ୟରେ ସେ ତାଙ୍କ ଚୂଡାନ୍ତ ନିଷ୍ପତ୍ତି ଜଣାଇ ଦେବା ପାଇଁ ଦଳକୁ କହିଛନ୍ତି । ଏହାରି ମଧ୍ୟରେ ଯଦି 82 ବର୍ଷୀୟ ଶରଦ ତାଙ୍କ ମତ ପରିବର୍ତ୍ତନ ନକରନ୍ତି, ତେବେ ଦଳର ପରବର୍ତ୍ତୀ ମୁଖ୍ୟ କି’ଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ପୁତୁରା ଅଜିତ ପାଓ୍ବର ଓ ଝିଅ ସୁପ୍ରିୟା ସୁଲେଙ୍କ ନାମରେ ଚର୍ଚ୍ଚା ହେଉଥିବା ବେଳେ ସୁପ୍ରିୟାଙ୍କ ପଲ୍ଲା ଭାରି ଥିବା ସୂଚନା ମିଳିଛି । ଦଳର ଏକ ବଡ ଗୋଷ୍ଠୀ ସୁପ୍ରିୟା ହାତରେ କମାଣ ଦେବା ପାଇଁ ଚାହୁଁଥିବା ସୂଚନା ମିଳିଛି ।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ଏକ ପ୍ରଭାବଶାଳୀ ତଥା ଶରଦଙ୍କ ଅନୁଗତ ଗୋଷ୍ଠୀ ନିକଟରୁ ଏହି ପ୍ରସ୍ତାବ ଆସିଛି । ଅଜିତ ଦଳର ରାଜ୍ୟ (ମହାରାଷ୍ଟ୍ର) ସଭାପତି ହେବା ବେଳେ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ସୁପ୍ରିୟା ସୁଲେ ଦାୟିତ୍ବ ଗ୍ରହଣ କରିବା ପାଇଁ ଏହି ଗୋଷ୍ଠୀ ଚାହୁଁଛି । ଦଳର ବରିଷ୍ଠ ନେତା ଛଗନ ଭୁଜବଳ ସିଧା ସୁପ୍ରିୟାଙ୍କ ଆଡକୁ ଗଣମାଧ୍ୟମରେ ଇଙ୍ଗୀତ ମଧ୍ୟ ଦେଇ ସାରିଲେଣି । ସୁପ୍ରିୟା ସୁଲେ ଦଳର ଜାତୀୟ ସଭାପତି ଭବେ ଦାୟିତ୍ବ ନିଅନ୍ତୁ ବୋଲି ଭୁଜବଳ ଓ ଅନ୍ୟ କିଛି ବରିଷ୍ଠ ନେତା ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି ।

ଦଳର ଉପସଭାପତି ପ୍ରଫୁଲ ପଟେଲ କହିଛନ୍ତି, ପୁନଃସମୀକ୍ଷା କରି ଚୂଡାନ୍ତ ନିଷ୍ପତ୍ତି ନଜଣାଇବା ପର୍ଯ୍ୟନ୍ତ ଶରଦ ପାଓ୍ବର ଦଳର ରାଷ୍ଟ୍ରୀୟ ମୁଖ୍ୟ ସଭାପତି ରହିଛନ୍ତି । ସେ ଦାୟିତ୍ବକୁ ନଫେରିଲେ ମଧ୍ୟ ସେ ହିଁ ଦଳର ନେତା । ତେବେ ଭୁଜବଳଙ୍କ ମନ୍ତବ୍ୟରେ ସିଧା ପ୍ରତିକ୍ରିୟା ନରଖି ପ୍ରଫୁଲ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ନେଇ ଏବେ ସୁଦ୍ଧା ସେପରି କିଛି ଆଲୋଚନା ହୋଇନାହିଁ । ଶରଦ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରିବା ପରେ ତାଙ୍କ ଉତ୍ତରାଧିକାରୀ କି’ଏ ହେବ, ସେନେଇ ଦଳ ଚିନ୍ତା କରିବ ।

ଗତକାଲି ଶରଦ ଇସ୍ତଫା ଦେବା ପରେ ଦଳ ପକ୍ଷରୁ ତାଙ୍କୁ ଇସ୍ତଫା ଫେରାଇ ନେବାକୁ ନିବେଦନ କରାଯାଇଥିଲା । କିଛି କାର୍ଯ୍ୟକର୍ତ୍ତା କେବଳ ତାଙ୍କୁ ହିଁ ରାଷ୍ଟ୍ରୀୟ ସଭାପତି ଭାବେ ଦେଖିବାକୁ ଚାହୁଁଥିବା ନିବେଦନ କରି ଧାରଣାରେ ମଧ୍ୟ ବସିଥିଲେ । ତମାମ ଦଳୀୟ ନେତାଙ୍କ ନିବେଦନ ପରେ ଶରଦ ତାଙ୍କ ଇସ୍ତଫା ନିଷ୍ପତ୍ତି ସମ୍ପର୍କରେ ଆଉ ଥରେ ସମୀକ୍ଷା କରିବେ ବୋଲି ରାଜି ହୋଇଥିଲେ । ଦୁଇରୁ ତିନି ଦିନ ମଧ୍ୟରେ ସେ ପୁନଃସମୀକ୍ଷା କରି ଦଳକୁ ଚୂଡାନ୍ତ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିଦବେ । ହେଲେ ଯଦି ଶରଦ ପୁଣି ମଙ୍ଗ ସମ୍ଭାଳିବାକୁ ଅମଙ୍ଗ ହୁଅନ୍ତି, କିଏ ତାଙ୍କ ଉତ୍ତରାଧିକାରୀ ହେବ, ଦୁଇଜଣଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ହେଲେ ଏବେ ସୁଦ୍ଧା ସୂଚନା ଅନୁସାରେ ଶରଦଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେଙ୍କ ସମର୍ଥନରେ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details