ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ବମ୍ବେ ହାଇକୋର୍ଟ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଆଜି (ବୁଧବାର) କୋର୍ଟ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କୁ ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହେବାର ଆବଶ୍ୟକ ନାହିଁ । କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ମାମଲାରେ NCB ପକ୍ଷରୁ ଜେରାର ଆବଶ୍ୟକତା ଥାଏ, ତେବେ 72 ଘଣ୍ଟା ପୂର୍ବରୁ ନୋଟିସ ଦେଇ ଆର୍ଯ୍ୟନ ଖାନଙ୍କୁ ଡକାଯାଇପାରିବ । ସୂଚନାଯୋଗ୍ୟ ଯେ ଦିଲ୍ଲୀ ଏନସିବି ଟିମ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରୁଛି ।
କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିଆଯାଇଥିବା ଜାମିନ ସମ୍ପର୍କିତ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍ ଖାନ୍ 10 ଡିସେମ୍ବରରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ପ୍ରତି ଶୁକ୍ରବାର ଏନସିବିର ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ଆବଶ୍ୟକ ନଥିବା ଦର୍ଶାଇ ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ ଆର୍ଯ୍ୟନଙ୍କ ଓକିଲ । ସେହି ଆବେଦନ ଆଧାରରେ ଆର୍ଯ୍ୟନଙ୍କୁ ମଧ୍ୟ ଏହି ରିହାତି ଦିଆଯାଇଛି, କାରଣ ଏହି ମାମଲାର ତଦନ୍ତ ବର୍ତ୍ତମାନ ରାଜଧାନୀ ଦିଲ୍ଲୀକୁ ହସ୍ତାନ୍ତର କରାଯାଇଛି ।