ନୂଆଦିଲ୍ଲୀ: ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଘଣ୍ଟା ଘାଣ୍ଟିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଧରି ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଛନ୍ତି କେଜ୍ରିୱାଲ । ରବିବାର ପୂର୍ବାହ୍ନ ୧୧ଟା ସମୟରେ କେଜ୍ରିୱାଲ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ତାଙ୍କୁ ଅଫିସର ପ୍ରଥମ ମହଲାରେ ତଦନ୍ତକାରୀ ଟିମ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା । ସିବିଆଇ ତାଙ୍କୁ 56ଟି ପ୍ରଶ୍ନ ପଚାରିଥିଲା । ସବୁ ପ୍ରଶ୍ନର ସେ ଉତ୍ତର ଦେଇଥିବା କହିଛନ୍ତି କେଜ୍ରିୱାଲ ।
ରାତି ପ୍ରାୟ ୮ଟା ୩୦ରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହି ଜେରା ମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ପଚରାଉଚରା ସମୟରେ କିଛି ପ୍ରଶ୍ନର ଉତ୍ତର ଦେବାରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସାମ୍ନା କରିଥିବା ସୂତ୍ରରୁ ଜଣାପଡ଼ିଛି । ଯେତେବେଳେ ଅନିଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ଥିଲେ ସେତେବେଳେ ଏହି ଅବକାରୀ ନୀତି କ୍ୟାବିନେଟ ବୈଠକରେ ମଞ୍ଜୁରୀ ପାଇଥିଲା । ହେଲେ ସେତେବେଳେ ଉପରାଜ୍ୟପାଳ ଅନିଲ ଏହି ନୀତି ଉପରେ ଗ୍ରୀନ ସିଗ୍ନାଲ ନଦେବା ପରେ ମଧ୍ୟ ଏହାକୁ କାହିଁକି ଲାଗୁ କରାଯାଇଥିଲା କେଜ୍ରିୱାଲଙ୍କୁ ପ୍ରଶ୍ନ କରାଯାଇଥିଲା ।
ଏହା ବି ପଢନ୍ତୁ- CBI ରେ କେଜ୍ରିଓ୍ବାଲ: ସିଙ୍ଘୁ ବର୍ଡରରେ ଦଳର ପ୍ରତିବାଦ
ଅବକାରୀ ନୀତିକୁ ୧ବର୍ଷ ପରେ କାହିଁକି ଖାରଜ କରାଗଲା ? ଏପରି ଅନେକ ପ୍ରଶ୍ନ କେଜ୍ରିୱାଲଙ୍କୁ ପଚରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସୂଚନା ଥାଉ କି ଏହି ମାମଲାରେ ଗତ ଫେବୃଆରୀ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ରବିବାର ଯେତେବେଳେ କେଜ୍ରିୱାଲ ସିବିଆଇ କାର୍ଯ୍ୟାଳୟ ଆଡ଼କୁ ଅଗ୍ରସର ହୋଇଥିଲେ ସେତେବେଳେ ଲୋଧି ରୋଡ ନିକଟରେ ଆପ୍ ନେତାମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ପୋଲିସ ଆନ୍ଦୋଳନରତ ଆପ୍ କର୍ମୀଙ୍କୁ ହେପାଜତକୁ ନେଇଥିଲା । ଏହି ନେତାମାନଙ୍କ ମଧ୍ୟରେ ସଞ୍ଜୟ ସିଂହ, ରାଘବ ଚଢା, ସୌରଭ ଭରଦ୍ବାଜ, କୈଳାଶ ଗେହଲଟଙ୍କ ପରି ବଡ଼ ବଡ଼ ନେତା ସାମିଲ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଜେରା ସମୟରେ ଆପ୍ ପକ୍ଷରୁ ଜରୁରୀକାଳୀନ ବୈଠକ ବସିଥିଲା । ରବିବାର ଦ୍ବିପ୍ରହର ସମୟରେ କେଜ୍ରିୱାଲଙ୍କୁ ଗିରଫ କରାଯିବ ବୋଲି ପାର୍ଟି ପକ୍ଷରୁ ଆଶଙ୍କା କରାଯାଇଥିଲା । ଏଥିଲାଗି ସନ୍ଧ୍ୟା ୫ଟାରେ ବସିଥିଲା ଜରୁରୀକାଳୀନ ବୈଠକ । ଏହି ବୈଠକରେ ଦଳର ରାଷ୍ଟ୍ରୀୟ ସଚିବ, ଜିଲ୍ଲା ଅଧ୍ୟକ୍ଷ ଓ ଅନେକ ନେତା ସାମିଲ ଥିଲେ । ଏହାସହ ଦିଲ୍ଲୀ ମେୟର ଓ ଡେପୁଟି ମେୟର ମଧ୍ୟ ବୈଠକରେ ଯୋଗଦେଇଥିଲେ । ଏହି ଜେରା ସମୟରେ ଆପ୍ ଓ ସିବିଆଇ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।