ହାଇଦ୍ରାବାଦ: ଆଉ ତିନି ଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଚାର ଜୋରଦାର କରିଛନ୍ତି ନିର୍ବାଚନୀ ମୈଦାନରେ ଥିବା ସମସ୍ତ ରାଜନୈତିକ ଦଳ (Arvind Kejriwal prediction on Gujarat pol)। ଏହାରି ମଧ୍ୟରେ ଗୁଜୁରାଟ ରାଜନୀତିରେ ପ୍ରଥମ କରି ଏଣ୍ଟ୍ରି ମାରିଥିବା ଆମ ଆଦମୀ ପାର୍ଟି ମଧ୍ୟ ରାଜ୍ୟବାସୀଙ୍କୁ ଭୋଟ ମାଗିବାରେ କୌଣସି ଅବସର ହାତଛଡା କରିନାହିଁ । ପ୍ରଦର୍ଶନ ନେଇ ଦଳ ମୁଖ୍ୟ କେଜ୍ରିଓ୍ବାଲ ବେଶ ଉତ୍ସାହୀ ଓ ଆଶାବାଦୀ ଥିବା ଦେଖବାକୁ ମିଳିଛି । ସୁରଟରେ ଦଳ 8ଟି ଆସନ ଜିତିବା ନେଇ ଦମ୍ଭର ସହ ପୂର୍ବାକଳନ କରିଛନ୍ତି କେଜ୍ରିଓ୍ବାଲ । ଏନେଇ କେବଳ ସେ ଆଶାବାଦୀ ଥିବା ନୁହନ୍ତି ବରଂ ଦୃଢ ନିଶ୍ଚିତ ଥିବା ଦର୍ଶାଇ ଲିଖିତ ଆକାରରେ ପୂର୍ବାକଳନ କରିଥିବା ଦେଖିବାକୁ ମିଳିଛି ।
କେଜ୍ରିଓ୍ବାଲ କହିଛନ୍ତି,‘‘ପ୍ରଥମ ଥର ଦେଶରେ କୌଣସି ରାଜନୈତିକ ଦଳ ଆସିଛି ଯିଏ ଦରଦାମ ବୃଦ୍ଧି ସମସ୍ୟା ସମାପ୍ତ କରିବ ବୋଲି ଘୋଷଣା କରିଛି । ତେଣୁ ରାଜ୍ୟବାସୀ ଦଳକୁ ସମର୍ଥନ କରିବେ । ଦଳ ଭାରତୀୟ ଜନତା ପାର୍ଟି ଠାରୁ ଆଗକୁ ଅତିକ୍ରମ କରି ସାରିଛି । ବିଜେପି ଶାସନରେ ଲୋକମାନେ ସାମାନ୍ୟ ଭୟଭୀତ ଅଛନ୍ତି, ତଥାପି ସେମାନେ ଏକ ପରିବର୍ତ୍ତନ ଭାବେ ଆମ ଆଦମୀ ପାର୍ଟିକୁ ଭୋଟ ଦେବେ ।’’