ଚଣ୍ଡିଗଡ:ଦୁର୍ନୀତି ବିରୋଧରେ ଆକ୍ସନ ମୋଡରେ ମାନ ସରକାର । ଆଜି ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ପ୍ରଥମେ ବହିଷ୍କାର ଓ ପରେ ଗିରଫ ପରେ ମାନଙ୍କ ଦୁର୍ନୀତି ବିରୋଧୀ ଶକ୍ତ ଆଭିମୁଖ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି । AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ମାନଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ସେ ଗର୍ବିତ ବୋଲି କହିଛନ୍ତି ।
କେଜ୍ରିଓ୍ବାଲ ଏପରି ନିଷ୍ପତ୍ତି ପାଇଁ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଟ୍ବିଟ କରି କେଜ୍ରିଓ୍ବାଲ କହିଛନ୍ତି ‘ତୁମ କାର୍ଯ୍ୟାନୁଷ୍ଠାନ ଆମ ଆଖିରେ ଲୁହ ଭରି ଦେଇଛି । ଆମେ ତୁମ ପାଇଁ ଗର୍ବିତ । ପଞ୍ଜାବରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ତାହା ଆଜି ପ୍ରମାଣିତ ହୋଇଛି।’ ମୂଳରୁ ଦୁର୍ନୀତି ମୁକ୍ତ ପଞ୍ଜାବର ନାରା ଦେଇ କ୍ଷମତାକୁ ଆସିଥିବା ଆମ ଆଦମି ପାର୍ଟି ତାର ଶାସନର ପ୍ରାରମ୍ଭିକ ସମୟରେ ଏକ ଶକ୍ତ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପୋଷଣ ନୀତି ଆପଣାଇଛି ।