ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ହାଜିରା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଡକାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ କେଜ୍ରିୱାଲ ହାଜର ହେବା ବଦଳରେ ଇଡି ସମନର ଜବାବ ପଠାଇଛନ୍ତି । ସେ ତଦନ୍ତ ଏଜେନ୍ସିର ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଏଥିସହ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି ।
ଆମ୍ ଆଦମୀ ପାର୍ଟି ସୁପ୍ରିମୋ କହିଛନ୍ତି, ''ମୁଁ ସବୁପ୍ରକାର ଆଇନଗତ ସମନକୁ ଗ୍ରହଣ କରିବାକୁ ପ୍ରସ୍ତୁତ । କିନ୍ତୁ ଇଡର ଏହି ସମନ ପୂର୍ବ ସମନଗୁଡିକ ଭଳି ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହି ସମନ ଫେରାଇ ନିଆଯିବା ଉଚିତ୍ । ମୁଁ ମୋର ପୁରା ଜୀବନ ସଚ୍ଚୋଟତା ଏବଂ ପାରଦର୍ଶିତାର ସହ ବଞ୍ଚିଛି । ମୋ ପାଖରେ ଲୁଚାଇବାକୁ କିଛି ନାହିଁ ।''
କହିରଖୁଛି କି, ଏହା ଦ୍ବିତୀୟ ଥର, ଯେତେବେଳେ କେଜ୍ରିୱାଲ ଇଡି ସମନରେ ହାଜର ହୋଇନାହାନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସେ ୧୦ ଦିନ ପାଇଁ ପଞ୍ଜାବାର ବିପାସନା କ୍ୟାମ୍ପ ଗସ୍ତ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମଦ ଘୋଟାଲା ମାମଲାରେ ପଚରାଉଚରା କରିବା ପାଇଁ ଆଜି ହାଜର ହେବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଥିଲା । ପୂର୍ବରୁ ଏହି ମାମଲାରେ ସିବିଆଇ ଗତ ଏପ୍ରିଲରେ କେଜ୍ରିୱାଲଙ୍କୁ ଦୀର୍ଘ ଘଣ୍ଟା କାଳ ଜେରା କରିଥିଲା । ଏହାପରେ ନଭେମ୍ବର ୨ରେ ଇଡି ପ୍ରଥମ ଥର ଆପ୍ ସୁପ୍ରିମୋଙ୍କୁ ଜେରା ପାଇଁ ସମନ କରିଥିଲା । ହେଲେ ସେତେବେଳେ ମଧ୍ୟ ସେ ନିଜର କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଇଡିରେ ହାଜର ହୋଇନଥିଲେ ।