ଶ୍ରୀନଗର:ପୂର୍ବତନ କଂଗ୍ରେସ ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ (Former Congress leader Ghulam Nabi Azad) ଧାରା ୩୭୦ ଉପରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । କାଶ୍ମୀରରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ଧାରା ୩୭୦ ପୁନଃ ଲାଗୁ (Restoration of Article 370) ହୋଇପାରିବ ନାହିଁ । ଏଥିଲାଗି ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ । ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସେ ଦଳକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି ।
ଏ ନେଇ ସେ କହିଛନ୍ତି, " ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ । ଏହା ପୁନଃ ଲାଗୁ ପାଇଁ ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ । ଧାରା ୩୭୦ ନାମରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସେ ଦଳକୁ ଅନୁମତି ଦେବେ ନାହିଁ । ଏହି ଧାରା ପୁଣି ଫେରିବ ନାହିଁ ।" ସେ ସ୍ଥାନୀୟ ଦଳକୁ ଟାର୍ଗେଟ କରି କହିଛନ୍ତି, " ରାଜନୈତିକ ଶୋଷଣ କାଶ୍ମୀରରେ ୧ଲକ୍ଷ ଲୋକଙ୍କୁ ହତ୍ୟା କରିଛି ଏବଂ ୫ଲକ୍ଷ ପିଲାଙ୍କୁ ଅନାଥ କରିଦେଇଛି । ମିଥ୍ୟା ଏବଂ ଶୋଷଣ ଉପରେ ମୁଁ ଭୋଟ୍ ମାଗିବି ନାହିଁ । ନିର୍ବାଚନରେ ମୋତେ କଷ୍ଟ ହେଲେ ମଧ୍ୟ କ'ଣ ହାସଲ କରି ହେବ ତାହା କହିବି ।"
ତେବେ ସେ ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ଦଳ ଘୋଷଣା କରିବେ ବୋଲି ମଧ୍ୟ କହିଛନ୍ତି । ଜାମ୍ମୁ କାଶ୍ମୀରର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ରାଜ୍ୟର ପୁନଃରୁଦ୍ଧାର, ଚାକିରିର ସୁରକ୍ଷା ଏବଂ ଜମିର ସୁରକ୍ଷା ପାଇଁ ସେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି । କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ପ୍ରଥମ ଜନସଭାରେ ଯୋଗ ଦେଇ ଆଜାଦ କହିଥିଲେ ଯେ ସେ ନୂଆ ଦଳ ଲଞ୍ଚ କରିବେ ଯାହାକି କେବଳ ରାଜ୍ୟକୁ ପୁନଃରୁଦ୍ଧାର ଦିଗରେ ଫୋକସ କରିବ ।