ବେଙ୍ଗାଲୁରୁ: ମୃତ ବଡ ଭାଇଙ୍କ ନାମରେ ୨୪ ବର୍ଷ ହେବ ଶିକ୍ଷକତା କରୁଥିଲେ ସାନ ଭାଇ । ଶେଷରେ ଧରାପଡି ଜେଲ ଗଲେ ସମ୍ପୃକ୍ତ ଶିକ୍ଷକ । ଏପରି ଘଟଣା ଘଟିଛି କର୍ଣ୍ଣାଟକର ମହୀଶୂରରେ ।
ଲୋକେଶ ଗୌଡାଙ୍କ ସାନଭାଇ ଲକ୍ଷ୍ମଣ ଗୌଡା 24 ବର୍ଷ ଧରି ହୁନସୁର ତାଲୁକର କାଟେମାଲାଭାଡି ଗ୍ରାମ ସମେତ ବିଭିନ୍ନ ସ୍ଥାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ ଦୀର୍ଘ ୨୪ ବର୍ଷ ଧରି କାମ କରିଆସୁଥିଲେ । ବର୍ତ୍ତମାନ ଖବର ସାମ୍ନାକୁ ଆସିବା ପରେ ଲକ୍ଷ୍ମଣ ଗୌଡାଙ୍କୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।
ସୂଚନା ଅନୁଯାୟୀ, 2019ରେ ଜଣେ ସାମାଜିକ କର୍ମୀ ରାଜୁ ଏ ବାବଦରେ ଜାଣିବାକୁ ପାଇଥିଲେ । ତାଙ୍କର ସନ୍ଦେହ ଉପୁଜିବାରୁ ସେ ସର୍ବଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ । ଲକ୍ଷ୍ମଣ ଗୌଡାଙ୍କ ପରିବାର ମୁଖ୍ୟତଃ ମହୀଶୂରରେ ଜିଲ୍ଲାର କେ.ଆର ନଗର ସ୍ଥିତ ହେବାଲୁ ଗ୍ରାମରେ ବସବାସ କରନ୍ତି ।
1994-95 ମସିହାରେ ଲକ୍ଷ୍ମଣ ଗୌଡାଙ୍କ ବଡ ଭାଇ ଲୋକେଶ ଗୌଡା ସରକାରୀ ଶିକ୍ଷକ ପାଇଁ ମନୋନୀତ ହୋଇଥିଲେ । କିନ୍ତୁ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ସମୟରେ ଲକ୍ଷ୍ମଣ ଗୌଡା ଲୋକୋଶ ଭାବରେ ନିଯୁକ୍ତି ପତ୍ର ସହିତ ପେରିୟାପାଟନମର ମୁଦାନାହଲ୍ଲୀ ଗ୍ରାମ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ ।