ଲକ୍ଷ୍ନୌ:ସମାଜବାଦ ପାର୍ଟୀରେ ଯୋଗଦେବେ ଯୋଗୀ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି ଉତ୍ତରପ୍ରଦେଶ ରାଜନୀତିର ପ୍ରମୁଖ ଚେହେରା ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଆସନ୍ତା 14 ରେ ନିଜ ସମର୍ଥକଙ୍କ ସହ ଆଉ କେତେ ଜଣ ବିଧାୟକଙ୍କୁ ନେଇ ସମାଜବାଦୀ ପାର୍ଟିରେ ସାମିଲ ହେବା ନେଇ ସାମ୍ୟକ ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶରେ ବିଜେପି ସରକାର ପଛୁଆ ବର୍ଗଙ୍କୁ ଅଣଦେଖା କରିଛି ବୋଲି ସେ କହିଛନ୍ତି । ସେପଟେ ସମାଜବାଦୀ ପାର୍ଟିରେ ସାମିଲ ହେବା ପୂର୍ବରୁ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି । ୨୦୧୪ ମସିହାର ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।
୨୦୧୪ ମସିହାରେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅରୁଚିକର ଟିପ୍ପଣୀ କରିଥିଲେ। ହିନ୍ଦୁ ଦେବତା ଏବଂ ଦେବୀଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ସୁଲତାନପୁର କୋର୍ଟରେ ଆସନ୍ତା ଜାନୁୟାରୀ ୨୪ ତାରିଖରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି ।
ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବଢୁଛି ଉଷ୍ମତା । ଉତ୍ତରପ୍ରଦେଶ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କ୍ଷମତା ଆଳରେ ସ୍ଥିତି ଦେଖି ପଟପରିବର୍ତ୍ତନ କରୁଛନ୍ତି ନେତା ମନ୍ତ୍ରୀ। ତେବେ ଏ ଭଳି ସ୍ଥିତିରେ ଉତ୍ତରପ୍ରଦେଶର ରାଜନୀତିରେ ବେଶ ଦବଦବା ରଖିଥିବା ଯୋଗୀ କ୍ୟାବିନେଟର ଗୁରୁତ୍ବପୂ୍ର୍ଣ୍ଣ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ଯାହା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଆହୁରୀ ରୋଚକ କରିଛି । ମନ୍ତ୍ରୀ ସ୍ବାମୀ ପ୍ରସାଦଙ୍କ ଇସ୍ତଫା ପରେ ତାଙ୍କ ଗୋଷ୍ଠୀର ନେତାମାନେ ମଧ୍ୟ ବିଜେପିରୁ ଇସ୍ତଫା ଦେବା ସମ୍ଭାବନା ସୃଷ୍ଟି କରିଛି । ତେବେ ଦଳ ଛାଡିବା ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି କେନ୍ଦ୍ର ନେତୃତ୍ବକୁ ଟାର୍ଗେଟ କରିଛନ୍ତି । ଦଳକୁ ଯେଉଁ ଆଧାରରେ ଭୋଟ ମଳିଥିଲା ସେହି ଆଧାରରେ କାର୍ଯ୍ୟ କରିନାହିଁ । ବିଶେଷ କରି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ,ଛୋଟ ବ୍ୟବସାୟୀ, ରାଜ୍ୟରେ ବ୍ୟାପକ ପଦବୀ ଖାଲି ରହିଛି ଏବଂ ଗରିବ ଲୋକଙ୍କୁ କୌଣସି ସୁବିଧା ପ୍ରଦାନ କରାଯାଇନାହିଁ ବୋଲି କହିଛନ୍ତି।