ଓଡିଶା

odisha

By

Published : Jul 30, 2023, 12:50 PM IST

ETV Bharat / bharat

କୁଲଗାମରେ ଯବାନ ନିଖୋଜ, କାର୍ ଭିତରେ ପଡିଛି ରକ୍ତ ଛିଟା

ଶନିବାର ସନ୍ଧ୍ୟାରୁ କୁଲଗାମରେ ୨୫ ବର୍ଷୀୟ ଯବାନ ନିଖୋଜ । ତାଙ୍କର କାର୍ ଭିତରେ ପଡିଛି ରକ୍ତ ଛିଟା । ଅଧିକ ପଢନ୍ତୁ

କୁଲଗାମରେ ଯବାନ ନିଖୋଜ
କୁଲଗାମରେ ଯବାନ ନିଖୋଜ


ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମରେ ସେନାର ଜଣେ ୨୫ ବର୍ଷୀୟ ଯବାନ ନିଖୋଜ ହୋଇଯାଇଛନ୍ତି । ତାଙ୍କର ନାମ ଜାଭେଦ ଅହମ୍ମଦ ୱାନି । ସେ ଛୁଟିରେ ଘରକୁ ଆସିଥିବା ବେଳେ ଗତକାଲି(ଶନିବାର) ରାତି ୮ଟାରୁ ନିଖୋଜ ଅଛନ୍ତି । ୱାନିଙ୍କୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଖୋଜ ଯବାନଙ୍କ ଘର କୁଲଗାମ ଜିଲ୍ଲାରେ ଅଚାଥଲ ଅଞ୍ଚଳରେ । ଯବାନଙ୍କ କୌଣସି ଖୋଜଖବର ମିଳିନଥିବା ବେଳେ ତାଙ୍କର କାର୍ ଠାବ ହୋଇଛି । ତେବେ କାରରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି ।

ଯବାନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଭାରତୀୟ ସେନାରେ କାମ କରୁଥିବା ଜାଭେଦ ୱାନି ଲେହ ଲଦାଖରେ ପୋଷ୍ଟିଂ ହୋଇଥିଲେ । ସେ ଛୁଟିରେ ଘରକୁ ଆସିଥିଲେ । ଗତକାଲି ସନ୍ଧ୍ୟାରେ ଗ୍ରୋସରୀ ଆଣିବାକୁ ଚୋୱଲଗାମକୁ କାର୍ ନେଇଯାଇଥିଲେ । ହେଲେ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପରାନହଲ ଅଞ୍ଚଳରେ ତାଙ୍କର କାର୍ ମିଳିଥିଲା । କାରରେ ୱାନିଙ୍କ ହଳେ ଚପଲ ସହ ରକ୍ତ ଦାଗ ଲଗାଥିବାର ଦେଖିବାକୁ ମିଳିଥିଲା । ଗାଡିର ଡୋର ମଧ୍ୟ ବନ୍ଦ ନଥିଲା ।

ଏହାମଧ୍ୟ ପଢନ୍ତୁ: ଆତଙ୍କୀ ଟାର୍ଗେଟରେ ଛାବ୍ରା ହାଉସ ! ଗିରଫ ଆତଙ୍କୀଙ୍କଠୁ ମିଳିଲା ସାଟେଲାଇଟ୍‌ ଫଟୋ

ଏହାମଧ୍ୟ ପଢନ୍ତୁ: ମଣିପୁର ହିଂସା ପଛରେ ଚୀନର ଭୂମିକାକୁ ଏଡାଇ ହେବନାହିଁ: ପୂର୍ବତନ ସ୍ଥଳସେନା ମୁଖ୍ୟ

ଯବାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଦାବି କରିଛନ୍ତି । ତାଙ୍କର ମାଆ କାନ୍ଦି କାନ୍ଦି ପୁଅକୁ ଛାଡି ଦେବାକୁ ନିବେଦନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ସେ କହିଛନ୍ତି, ''ୱାନି କାରରେ ବଜାରରୁ ଗ୍ରୋସରୀ ଆଣିବାକୁ ଯାଇଥିଲେ । ସେବେଠୁ ତାଙ୍କର କିଛି ପତ୍ତା ମିଳୁନି । ଜାଭେଦ ଆମ ପରିବାରର ଏକମାତ୍ର ସାହାରା । ଯଦି ସେ କିଛି ଭୁଲ କରିଥାନ୍ତି ତାହେଲେ କ୍ଷମା କରିଦିଅ ।''

ୱାନିଙ୍କ ନିଖୋଜ ଅଭିଯୋଗ ହେବା ପରେ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରାଯାଇ ତନାଘନା କରାଯାଉଛି । ତେବେ ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଅନେକ ଯବାନ ଛୁଟିରେ ଘରକୁ ଆସିଥିବା ବେଳେ ଆତଙ୍କବାଦୀଙ୍କ ଦ୍ବାରା ଅପହରଣ ହୋଇ ହତ୍ୟା କରାଯାଇଛି । ତେଣୁ ୱାନିଙ୍କୁ ନେଇ ଆଶଙ୍କା ବଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details