ପୁଲୱାମା: ଗତକାଲି (ଶୁକ୍ରବାର) ଆତଙ୍କବାଦୀଙ୍କ ସହ ଲଢେଇ କରି ବୀରଗତି ପ୍ରାପ୍ତ ହୋଇଥିବା ଭାରତୀୟ ସେନାର ବୀର ଯବାନ ଶହୀଦ ହାବିଲଦାର କାଶୀରାୟ ବମ୍ମନାଲ୍ଲିଙ୍କୁ ଆଜି (ଶନିବାର) ସ୍ଥଳସେନା ଦେଇଛି ଶ୍ରଦ୍ଧାଞ୍ଜଳି । ପୁଲୱାମାରେ ଆତଙ୍କବାଦୀ ଅପରେସନ ବେଳେ ଶହୀଦ ହୋଇଥିଲେ ହାବିଲଦାର କାଶୀରାୟ ।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁଲୱାମ ବଦାମୀବାଗ ସ୍ଥିତ ଛାବନୀରେ ଶହୀଦ ଯବାନଙ୍କୁ ସେନା ଶ୍ରଦ୍ଧାଞ୍ଜଳି ଦେଇଛି । ଏଥିରେ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡିପି ସିଂ ଓ ଯବାନ ମାନେ ସାମିଲ ହୋଇଥିଲେ ।
37 ବର୍ଷୀୟ ହାବିଲଦାର କାଶୀରାୟ ବମ୍ମନାଲ୍ଲି ଦକ୍ଷିଣ କାଶ୍ମୀରର ହନଜନରେ ଆତଙ୍କବାଦୀ ବିରୋଧୀ ଅପରେସନରେ ସାମିଲ ହୋଇଥିଲେ । ଗୁଇନ୍ଦା ତଥ୍ୟକୁ ଆଧାର କରି ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଗମ୍ଭୀର ଭାବେ ଆହତ ହୋଇଥିଲେ କାଶୀରାୟ ବମ୍ମନାଲ୍ଲି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି 92 ବେସ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ସେ ବୀରଗତି ପ୍ରାପ୍ତ କରିଥିବା ସେନା କହିଛି ।