ଶ୍ରୀନଗର:ଘାଟିର ସର୍ବାଧିକ ଆତଙ୍କବାଦ ପ୍ରବଣ ଅଞ୍ଚଳ ରାଜୈରୀର ପୁଞ୍ଚ ସେକ୍ଟରରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଭାରତୀୟ ସୁରକ୍ଷା ବଳ ‘ଅପରେସନ ସର୍ବଶକ୍ତି’ ଆରମ୍ଭ କରିଛି । ଏହି ଅପରେସନରେ ସେନା, ପାରାମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସର ଯବାନ ସମ୍ମନ୍ବିତ ଭାବେ ସାମିଲ ହୋଇଛନ୍ତି । ଏବେ ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ଅନେକ ପାକିସ୍ତାନୀ ଆତଙ୍କୀ ରହିଛନ୍ତି । ସେମାନଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ସେନା ଏହି ବିଶେଷ ମିଶନ ଆରମ୍ଭ କରିଛି । ଶ୍ରୀନଗରରେ ନିୟୋଜିତ ଥିବା ଭାରତୀୟ ସେନାର 15 ଓ 16 କ୍ରପ୍ସ ଏହି ଅପରେସନର ନେତୃତ୍ବ ନେଉଛନ୍ତି ।
ତେବେ ସେନା ଓ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ (2019) ଶେଷଭାଗରେ ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ ଅଚାନକ ବୃଦ୍ଧି ଘଟିଥିଲା । ଆତଙ୍କବାଦୀଙ୍କ ଆମ୍ବ୍ୟୁସ ଆକ୍ରମଣରେ ଗତବର୍ଷ 19 ଯବାନ ଶହୀଦ ହୋଇଥିଲେ । ଏହା ବ୍ୟତୀତ ଏକାଧିକ ସ୍ଥାନୀୟ ଓ ଅଣସ୍ଥାନୀୟ ନାଗରିକ ମଧ୍ୟ ଆତଙ୍କବାଦୀଙ୍କ ଦ୍ବାରା ଟାର୍ଗେଟ କିଲିଂର ଶିକାର ହୋଇଥିଲେ । ଏହା ପରେ ଘାଟିରେ ସେନା ଅଧିକାରୀ ସ୍ତରରେ ପରିବର୍ତ୍ତନ କରାଯାଇଥିଲା । ନିଜେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ କାଶ୍ମୀର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା । ଏଥିରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ଅଟଳ ଦୁଲ୍ଲାଓ ଓ ପୋଲିସ ଡିଜି ରଶ୍ମିରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।