କୋଲକାତା:ଗୋଟିଏ ପଟେ ଯବାନ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେଶ ସୁରକ୍ଷା କରି ନାଗରିକଙ୍କୁ ରକ୍ଷା କରୁଥିବା ବେଳେ ଏପଟେ ପତ୍ନୀ ବୁଲାଇଲା କଳାକନା । ପଶ୍ଚିମବରଙ୍ଗ ଦାର୍ଜିଲିଂରେ ଜଣେ ଯବାନଙ୍କ ପତ୍ନୀ ସହ ଯବାନଙ୍କ ପତ୍ନୀଙ୍କଠୁ ପ୍ରାୟ ୧.୫ କୋଟି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।
ଏହି ଘଟଣା ଦାର୍ଜିଲିଂ ବଗଦୋଗରା ଅଞ୍ଚଳର । ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶିକାର ହେବା ପରେ ୧୭ ଜଣ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମହିଳା ଜଣକ ଟଙ୍କା ଲୁଟିବା ପରେ ଫେରାର ହୋଇପଡ଼ିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁସାରେ ଯବାନଙ୍କ ପତ୍ନୀଙ୍କ ନାମ ହେଉଛି ହେମା ନାଗାର୍ବା ତମାଙ୍ଗ, ଯିଏକି ଦାର୍ଜିଲିଂ ଗୌରିଗାଓଁର ଅଧିବାସୀ । ସେ ବଗଦୋଗରା ନିକଟ ଷ୍ଟାଲିନନଗରରେ ଏକ ଭଡ଼ା ଘରେ ରହୁଥିଲେ । ଗତ ଦେଢ ବର୍ଷ ଧରି ଏଠାରେ ସେ ରହିଆସୁଥିଲେ ।
ଏହା ବି ପଢନ୍ତୁ- ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ, ଷ୍ଟେସନ୍ରୁ ୩ ଛାତ୍ର ଉଦ୍ଧାର
ଅଭିଯୁକ୍ତ ମହିଳାଙ୍କ ସ୍ବାମୀ ମହେନ୍ଦ୍ର ତମାଙ୍ଗ ଜଣେ ଆର୍ମି ଅଫିସର । ସେ ଏବେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ । ଜଣେ ଯବାନଙ୍କ ପତ୍ନୀ ହୋଇଥିବାରୁ ସେ ସିଲିଗୁଡ଼ିରେ ଥିବା ଅନ୍ୟ ଯବାନଙ୍କ ପତ୍ନୀଙ୍କ ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ସେ ଅପର ବଗଦୋଗରା ଠାରେ ଏକ କପଡ଼ା ଦୋକାନ ମଧ୍ୟ କରିଥିଲେ । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମହିଳା ଜଣକ ଆର୍ମି ୱାଇଭ୍ସ ୱେଲଫେୟାର ଆସୋସିଏସନ (AWWA)ରେ ସଦସ୍ୟା ଥିବା ଆର୍ମି ଅଫିସରଙ୍କ ପତ୍ନୀଙ୍କୁ ଟାର୍ଗେଟ କରୁଥିଲେ । ଏମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପରେ ଘର କିଣିବା ଲାଗି ଟଙ୍କା ମାଗିଥିଲେ ।
ଏହି ୧୭ ଜଣ ଯବାନଙ୍କ ପତ୍ନୀଙ୍କଠୁ ସେ ୨ ଲକ୍ଷଠୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ମୋଟ ୧.୫ କୋଟି ଟଙ୍କା ନେଇଥିଲେ । ଆସନ୍ତା ୧ରୁ ୩ ବର୍ଷ ମଧ୍ୟରେ ଏହି ସମସ୍ତ ଅର୍ଥକୁ ସେ ଫେରସ୍ତ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ କିଛି ମାସ ପରେ ଅଭିଯୁକ୍ତ ମହିଳା ଜଣକ ଫୋନ ସ୍ବିଚ୍ ଅଫ ହୋଇଥିବା ବେଳେ ସେ ଭଡ଼ା ଘର ଛାଡ଼ି ପଳାଇଥିଲେ । ଏହାପରେ ଠକେଇର ଶିକାର ହୋଇଥିବା ହୃଦୟଙ୍ଗମ କରି ଯବାନଙ୍କ ପତ୍ନୀମାନେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ବଗଦୋଗରା ଥାନାରେ ମାମଲା ରୁଜୁ ହୋଇଥିବା ସିଲିଗୁଡି ପୋଲିସ କମିଶନର ସି ସୁଧାକର ସୂଚନା ଦେଇଛନ୍ତି । ଏନେଇ ମାମଲା ରୁଜୁ ହୋଇଥିବା ବେଳେ ତୁରନ୍ତ ଅଭିଯୁକ୍ତ ମହିଳାଙ୍କୁ କାବୁ କରାଯିବ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ