ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଏଲଓସିରେ ଶାନ୍ତି ଚୁକ୍ତିକୁ ବିତିଛି 100 ଦିନ । ଏହି ଅବସରରେ ଜମ୍ମୁକାଶ୍ମୀରରେ ଉପସ୍ଥିତ ରହିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ । ବୁଧବାର ସ୍ଥଳସେନା ମୁଖ୍ୟ ଦୁଇ ଦିବସୀୟ ଜମ୍ମୁକାଶ୍ମୀର ଗସ୍ତରେ ବାହାରିଛନ୍ତି । ଜମ୍ମୁକାଶ୍ମୀରରେ ସ୍ଥଳସେନା ମୁଖ୍ୟ ଏଲଓସିର ସ୍ଥିତି ସମୀକ୍ଷା କରିବା ସହିତ ଭାରତୀୟ ସେନାର ଅପରେସନାଲ ପ୍ରସ୍ତୁତି ବିଷୟରେ ଅବଗତ ହେବେ ।
ଚଳିତ ବର୍ଷ 25 ଫେବୃଆରୀରେ ଭାରତ ଓ ପାକିସ୍ତାନର ଡିଜିଏମଓ ତଥା ଡାଏରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଥିଲା । ଏହି ଚୁକ୍ତି ଆଧାରରେ ଦୁଇ ଦେଶର ସେନା ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ଶାନ୍ତି ବଜାୟ ରଖିବା ସହ ଗୁଳିବିନିମୟ ହେବ ନାହିଁ ବୋଲି ସହମତ ହୋଇଥିଲେ ।