ଅମରାବତୀ:ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ରେଜିଷ୍ଟ୍ରାର ଜାରି କରିଥିବା ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଆନ୍ଧ୍ର ପ୍ରଦେଶ ଉଚ୍ଚନ୍ୟାୟଳୟରେ ଦ୍ବାରସ୍ଥ ହୋଇଛି ସଂସ୍ଥା । ଗତକାଲି ଏହି ମାମଲାରେ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି । ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ନାଗାମୁଥୁ ଏବଂ ଦାମଲପତି ଶ୍ରୀନିବାସ ହାଇକୋର୍ଟରେ ପକ୍ଷ ରଖିଥିଲେ । ଆବେଦନକାରୀ ପକ୍ଷ କହିଥିଲେ, ଯଦି ସହକାରୀ ରେଜିଷ୍ଟ୍ରାର ଚିଟ୍ ଫଣ୍ଡ ଶାଖାଗୁଡ଼ିକୁ ଯାଞ୍ଚ କରୁଥିବା ସମୟରେ କୌଣସି ତ୍ରୁଟି ଦେଖାଦିଏ, ତେବେ ସେ ଚିଟ୍ ଆକ୍ଟର ଧାରା 46 (3) ଅନୁଯାୟୀ ସଂଶୋଧନ କରିବାକୁ ସଂସ୍ଥାକୁ ଏକ ନୋଟିସ ଦେବା ଉଚିତ । ଏହି ମାମଲାରେ ସେପରି କିଛି ନୋଟିସ ପ୍ରଦାନ କରାଯାଇନାହିଁ ।
ଆବେଦନକାରୀ ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଯଦି ନୋଟିସ ପାଇବା ପରେ ତ୍ରୁଟି ସଂଶୋଧନ କରାଯାଏ ନାହିଁ,ତେବେ ସେହିକ୍ଷେତ୍ରରେ ଧାରା 48(H) ଅଧୀନରେ ଥିବା ଚିଟ୍ ଗୋଷ୍ଠୀକୁ ନିଲମ୍ବିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ । କିନ୍ତୁ, ସହକାରୀ ରେଜିଷ୍ଟ୍ରାର ସଂସ୍ଥାକୁ ନୋଟିସ ଦେଇନାହାଁନ୍ତି । ଏହି ପରିପ୍ରେକ୍ଷୀରେ, ଚିଟ୍ ଗ୍ରୁପ୍ ନିଲମ୍ବନ ଉପରେ ଚିଟ ରେଜିଷ୍ଟ୍ରାର / ଡେପୁଟି ରେଜିଷ୍ଟ୍ରାରଙ୍କଠାରୁ କୌଣସି ଆପତ୍ତି ଗ୍ରହଣ କରାଯିବାର ପ୍ରଶ୍ନ ଉଠୁନାହିଁ । ଆପତ୍ତି ଦର୍ଶାଇ ଚିଟ୍ ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତି ଅବୈଧ ବୋଲି ଆବେଦନକାରୀ ଓକିଲ କହିଛନ୍ତି ।
ବରିଷ୍ଠ ଆଇନଜୀବୀ ନାଗାମୁଥୁ ଯୁକ୍ତି କରିଛନ୍ତି ଯେ, ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଚିଟ୍ ଫଣ୍ଡ ଆକ୍ଟରେ ବ୍ୟବସ୍ଥା ରହିଛି । ଚିଟ୍ ଫଣ୍ଡ ଆକ୍ଟର ଧାରା 46 (3) ଚିଟ୍ ଗୋଷ୍ଠୀଗୁଡିକର ତ୍ରୁଟି ସଂଶୋଧନ ପାଇଁ ନିୟମାବଳୀ ରହିଛି । ଆଇନ ଅନୁଯାୟୀ ଗ୍ରାହକଙ୍କୁ 100% ସୁରକ୍ଷା ଯୋଗାଇ ଦିଆଯାଉଛି । ତେଣୁ ସେମାନଙ୍କ ସୁରକ୍ଷାରେ କୌଣସି ଅସୁବିଧା ହେବ ନାହିଁ । ଏଥିରେ ସାମାନ୍ୟ ଧରଣର ତ୍ରୁଟି ପରିଲଖିତ ହେଲେ ନିଲମ୍ବନ ରଖାଯିବାର ନିୟମ ନାହିଁ । ଯଦି ଚିଟ୍ ରେଜିଷ୍ଟ୍ରାର୍ ସେପରି କୌଣସି ବ୍ୟତିକ୍ରମ ଅନୁଭବ କରନ୍ତି, ସେ ନୋଟିସ ଜାରି କରିବା କଥା । ହେଲେ ଏହି କ୍ଷେତ୍ରରେ ସେପରି କିଛି ନୋଟିସ ଜାରି କରାଯାଇନାହିଁ । ତେଣୁ ଏହି ନିଲମ୍ବନ ନୋଟିସ ସମ୍ପୂର୍ଣ୍ଣ ଅବୈଧ ଓ କୋର୍ଟ ଏହା ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି ।