ହାଇଦ୍ରାବାଦ: ସ୍ବାଧୀନତାର ଦୀର୍ଘ 70 ବର୍ଷ ପରେ ମଧ୍ୟ ଦେଶରେ ବାମପନ୍ଥୀ ସଶସ୍ତ୍ର ତଥା ହିଂସାତ୍ମକ ବିପ୍ଳବକୁ ସମାପ୍ତ କରିବାରେ ସଫଳ ହୋଇନି ସରକାର । ଆଜି ମଧ୍ୟ ଦେଶର ଏକାଧିକ ରାଜ୍ୟର କିଛି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ଲାଲ ବାହିନୀର କବଜାରେ ରହିଛି । ମାଓ ଦମନ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ସହ ସ୍ଥାନୀୟ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ହାତକୁ ନେଉଛି । ଏହି ଅପରେସନରେ କ୍ରମାଗତ ସଫଳତା ମଧ୍ୟ ମିଳୁଛି । ହେଲେ ସମ୍ପୂର୍ଣ୍ଣ ଲାଲ ବାହିନୀର ଅସ୍ଥିତ୍ବକୁ ନିଶ୍ଚିହ୍ନ କରିବାରେ ଏପର୍ଯ୍ୟନ୍ତ ସଫଳତା ମିଳିନି । ହିଂସାକାଣ୍ଡ ଘଟାଇ ଯବାନଙ୍କୁ ହତ୍ୟା କରି ଲାଲ ବାହିନୀ ତାର ଅସ୍ଥିତ୍ବ ଓ ସାଙ୍ଗଠନିକ ପ୍ରଭାବ ବିସ୍ତାର କରିବା ସହ ଉକ୍ତ ଅଞ୍ଚଳରେ ତାର ପ୍ରଭାବକୁ ଦର୍ଶାଉଛି ।
ଆଜି (ବୁଧବାର) ଛତିଶଗଡ ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ 10 ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ହିଂସା ପୁଣି ଥରେ ଦେଶର ଲାଲ ଆତଙ୍କର ପୁରୁଣା ଫର୍ଦ୍ଦକୁ ସାମ୍ନାକୁ ଆଣିଛି । କାରଣ ଏହି ଦାନ୍ତେଓ୍ବାଡାରେ ଘଟିଥିଲା ଦେଶ ଇତିହାସର ସବୁଠୁ ବଡ ଲାଲ ହାମଲା । ଏକକାଳୀନ ଶହୀଦ ହୋଇଥିଲେ କେନ୍ଦ୍ରୀୟ ଫୋର୍ସର 76 ସିଆରପିଏଫ ଯବାନ । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ।
ଶହୀଦ ହୋଇଥିଲେ 76 ଯବାନ :-ଆଜିକୁ 13 ବର୍ଷ ପୂର୍ବରୁ ଏହି ଦାନ୍ତେଓ୍ବାଡରେ ଘଟିଥିଲା ଦେଶର ସବୁଠୁ ବଡ ନକ୍ସଲ ଆକ୍ରମଣ । ଦାନ୍ତେଓ୍ବାଡାର ନକ୍ସଲ ପ୍ରବଣ ଜଙ୍ଗଲରେ କମ୍ବିଂ ଅପରେସନରେ ବାହାରିଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଯବାନଙ୍କୁ ଟାର୍ଗେଟ କରିଥିଲେ ନକ୍ସଲ । ଛତିଶଗଡ ବସ୍ତର ଆଦିବାସୀ ବହୁଳ ମୁକର୍ନା ଜଙ୍ଗଲରେ କମ୍ବିଂରେ ନିୟୋଜିତ ଥିଲେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସ ଯବାନଙ୍କୁ ମିଶାଇ ମୋଟ 85 ଯବାନଙ୍କ ଏକାଧିକ ଟିମ । ଏହି ସମୟରେ ନକ୍ସଲମାନେ ଯବାନଙ୍କ ଏହି ଟିମକୁ ଆମ୍ବ୍ୟୁସ କରି ଘେରି ଯାଇଥିଲେ । ସୁରକ୍ଷାକର୍ମୀଙ୍କୁ ଗାଡିକୁ ଆଇଡି ଲଗାଇ ବିସ୍ଫୋରଣ କରିବା ସହ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ 76 ଯବାନ ଶହୀଦ ହୋଇଥିଲେ ।
ଆକ୍ରମଣରେ ସାମିଲ ଥିଲେ 3 ଶହ ମାଓବାଦୀ-ଏହି ଆକ୍ରମଣକୁ ରୂପ ଦେବା ପାଇଁ ଲାଲ ବାହିନୀ ଏକ ବଡ ଯୋଜନା କରିଥିଲା । ଏଥିରେ ପ୍ରାୟ 3 ଶହରୁ ଅଧିକ ନକ୍ସଲ ସାମିଲ ହୋଇଥିଲେ । ଘଟଣା ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଏକକାଳୀନ ଏତେ ସଂଖ୍ୟକ ଯବାନଙ୍କ ନିଧନ ପରେ ସାରା ଦେଶରେ ମାଓବାଦୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବି ଉଠିଥିଲା । ଏହାକୁ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ କଡା ଭାଷାରେ ନିନ୍ଦା କରିବା ସହ ଯବାନଙ୍କ ବଳିଦାନ ସ୍ବରୂପ ମାଓବାଦୀଙ୍କୁ କଡା ଜବାବ ଦିଆଯିବା ନେଇ କହିଥିଲେ ।