ନୂଆଦିଲ୍ଲୀ: ନିକଟରେ ବିଶ୍ବର ସବୁଠୁ ଦାମୀ କମ୍ପାନୀ ଆପଲ୍ ଭାରତରେ ଗୋଟିଏ ଷ୍ଟୋର ଖୋଲିଛି । ଏହାରି ଭିତରେ ଗତକାଲି(ବୁଧବାର) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଆପଲ୍ ସିଇଓ ଟିମ୍ କୁକ୍ । ତେବେ ସାରା ଦେଶରେ ନିବେଶ କରିବା ପାଇଁ ଆପଲ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି କୁକ ।
ଏନେଇ ସିଇଓ ଟିମ କୁକ ମଧ୍ୟ ମୋଦିଙ୍କ ସହ ନିଜର ଏକ ଫଟୋକୁ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି, "ମୋତେ ଭବ୍ୟ ସ୍ବାଗତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଭାରତର ଭବିଷ୍ୟତ ଉପରେ ପ୍ରଯୁକ୍ତିର ପ୍ରଭାବ ନେଇ ଆପଣଙ୍କ ସହ ଆମେ ଏକମତ ଅଛୁ । ଭାରତର ରୂପାନ୍ତରଣରେ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶରେ ଉନ୍ନତି ଏବଂ ନିବେଶ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।"
ଆପଲର ସିଇଓ ଭାବରେ ମୋଦିଙ୍କ ସହ କୁକଙ୍କର ଏହା ଦ୍ୱିତୀୟ ସାକ୍ଷାତ ଥିଲା । ଏହାପୂର୍ବରୁ ସେ 2016 ମସିହାରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଜାତୀୟ ରାଜଧାନୀରେ ଆପଲର ପ୍ରଥମ ଷ୍ଟୋର ଉଦଘାଟନ କରିବାକୁ କୁକ୍ ଦିଲ୍ଲୀରେ ଅଛନ୍ତି। ଆଜି (ଗୁରୁବାର) ଦିନ ସେ ଦିଲ୍ଲୀର ସାକେତରେ ଆପଲ୍ ଷ୍ଟୋର୍ର ଉଦଘାଟନୀ ଉତ୍ସବରେ ଯୋଗଦେବେ । ଏହାପୂର୍ବରୁ ମଙ୍ଗଳବାର ଦିନ ସେ ମୁମ୍ବାଇରେ ଭାରତରେ ଆପଲର ପ୍ରଥମ ଷ୍ଟୋର୍ର ଉଦଘାଟନ କରିଥିଲେ ।
ତେବେ କୁକଙ୍କ ଭାରତ ଗସ୍ତ ଏବଂ ଆପଲ ଷ୍ଟେର ଖୋଲିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଆପଲ ହେଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ ବଜାର । ଭାରତରେ ଚୀନ ନିର୍ମିତ ଫୋନର ପତିଆରା ଭାରତରେ ରହିଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟ ହୋଇଛି । ତେବେ ଏଭଳି ସ୍ଥିତିରେ ସମ୍ପ୍ରସାରଣ ଯୋଜନା କ୍ଷେତ୍ରରେ ଭାରତକୁ ପ୍ରଥମ ସ୍ଥାନରେ ରଖିଛି ।
ଭାରତକୁ ନିଯୁକ୍ତି କ୍ଷେତ୍ରରେ ସାହାଯ୍ୟ କରିବ ଆପଲ: ଆଇଫୋନ ନିର୍ମାଣ କରୁଥିବା ସଂସ୍ଥା ଆପଲ ଭାରତରେ ନିଜର ଷ୍ଟୋର ଖୋଲିଥିବା ବେଳେ ନିଯୁକ୍ତି ଦେବା କ୍ଷେତ୍ରରେ ପରିବର୍ତ୍ତନ କରିବାରେ ବୋଲି ଆଲୋଚନା ହେଉଛି । ୨ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଆଲୋଚନା ହେଉଛି । ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଆପଲ ଭାରତରେ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି । ଆପଲ୍ ଭାରତରେ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । କିନ୍ତୁ ପରବର୍ତ୍ତୀ ସମୟରେ ଖୁବ ଶୀଘ୍ର ତାହା ଦ୍ବିଗୁଣିତ ହୋଇପାରେ ବୋଲି ଆଶା କରାଯାଉଛି ।
ପ୍ରକାଶଥାଉକି, ଆପଲ ସିଇଓ କୁକ ଦେଶର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଉଭୟଙ୍କର ମଧ୍ୟରେ ଇଲେକ୍ଟ୍ରାନିକ୍ସ ରପ୍ତାନି, ଅର୍ଥନୀତି, ଦକ୍ଷତା, ନିରନ୍ତରତା, ମହିଳାଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭାରତ ସହ ଆପଲର ସମ୍ପର୍କ ଆହୁରି କିଭଳି ମଜଭୁତ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ